ଗଣତନ୍ତ୍ର ଦିବସ ପାଳନ ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି,ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସମାଗମକୁ ବାରଣ

ଭୁବନେଶ୍ୱର: କରୋନା କାଳରେ ଗଣତନ୍ତ୍ର ଦିବସ ପାଳନ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସମାଗମକୁ ବାରଣ କରାଯାଇଛି । ସକାଳ ୮ଟା ୩୦ ପରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପରେଡରେ କେବଳ ପୋଲିସ ଭାଗ ନେବ । ଚଳିତଥର କରୋନା ପାଇଁ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍ ପରେଡରେ ଭାଗ ନେବେ ନାହିଁ ।ଏପରିକି ଗଣତନ୍ତ୍ର ଦିବସ ସମାରୋହରେ ସାଧାରଣ ଲୋକ ସାମିଲ୍ ହୋଇପାରିବେ ନାହିଁ । ଇ-ନିମନ୍ତ୍ରଣ ଦ୍ୱାରା ଅଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ସମାରୋହ ସ୍ଥଳରେ ସାମାଜିକ ଦୂରତା ରକ୍ଷା, ମୁହଁରେ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ପ୍ରବେଶ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ।ଅନଲାଇନ୍ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ ପାରିବ । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ ଗଣତନ୍ତ୍ର ଦିବସ ସମାରୋହ ପାଳନ ହେବ । ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପାଳନ କରାଯିବ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *