nationsbyte

୨୫୧ ଟଙ୍କାରେ ସ୍ମାର୍ଟଫୋନ ଦେବାକୁ କହିଥିବା ବ୍ୟକ୍ତି ଗିରଫ

ନୋଏଡା: ମାତ୍ର ୨୫୧ ଟଙ୍କାରେ ଲୋକଙ୍କୁ ସ୍ମାର୍ଟଫୋନ୍‌ ଯୋଗାଇ ଦେବାକୁ କହି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଏବେ ୨୦୦ କୋଟି ଟଙ୍କାର ଡ୍ରାଏଫ୍ରୁଟ୍‌ ଜାଲିଆତି ଘଟଣାରେ ଗିରଫ ହୋଇଛନ୍ତି। ନୋଏଡାର ଏହି ଉଦ୍ୟୋଗୀ ଜଣଙ୍କ ତାଙ୍କ ପତ୍ନୀ ଧାରଣା ଗୋଏଲଙ୍କ ସହ ମିଶି ପ୍ରଥମେ ରିଙ୍ଗଙ୍ଗ ବେଲ୍‌ ନାଁରେ କମ୍ପାନୀ ଖୋଲିଥିଲେ। ଏହାପରେ ସେ ଫ୍ରିଡମ ୨୫୧ ନାଁରେ ସ୍ମାର୍ଟ ଫୋନ୍‌ ଲଞ୍ଚ କରିବେ ବୋଲି କହିଥିଲେ। ହେଲେ ଏତେ କମ୍‌ ଟଙ୍କାରେ କେମିତି ସ୍ମାର୍ଟଫୋନ୍‌ ମୋହିତ ଯୋଗାଇବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୫୧ ଟଙ୍କିଆ ଫୋନ୍‌ର ତ ଏଯାଏ ଦେଖା ମିଳିଲା ନାହିଁ, କିନ୍ତୁ ମୋହିତଙ୍କ କଳାକାରନାମା ପୂରା ଦେଶ ଦେଖିବାକୁ ପାଇଛି। ସେ ଏକାଧିକ ଡ୍ରାଏଫ୍ରୁଟ୍‌ ବ୍ୟବସାୟୀଙ୍କୁ ଚୂନ ଲଗାଇ ୨୦୦ କୋଟି ଟଙ୍କା ହଡ଼ପ କରି ନେଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ମୋହିତ ଅନ୍ୟ ୪ ଜଣଙ୍କ ସହ ମିଶି ଦୁବାଇ ଡ୍ରାଏଫ୍ରୁଟ୍‌ ଓ ସ୍ପାଇସ୍‌ ହବ୍‌ ନାଁରେ କମ୍ପାନୀ ଖୋଲିଥିଲେ। ହେଲେ ଡ୍ରାଏଫ୍ରୁଟ୍‌ ନାଁରେ ସେ ଏକାଧିକ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟି ଟଙ୍କା ନେଇଯାଇଛନ୍ତି। ଏଥିପାଇଁ ତାଙ୍କୁ ରବିବାର ସନ୍ଧ୍ୟାରେ ସେକ୍ଟର ୫୧ ସ୍ଥିତ ମେଘଦୂତମଠାରୁ ଗିରଫ କରାଯାଇଛି।

ଗିରଫ ପରେ ତାଙ୍କ ଠାରୁ ଗୋଟିଏ ଅଡି କାର, ୬୦ କେଜିର ଡ୍ରାଏଫ୍ରୁଟ୍‌ ଓ ବିଭିନ୍ନ ଦସ୍ତାବିଜ୍‌ ଜବତ କରାଯାଇଛି। କମ୍ପାନୀ ପାଇଁ ମୋହିତ ଓ ତାଙ୍କ ସହଯୋଗୀମାନେ ସେକ୍ଟର ୬୨ରେ ଅଫିସ ଖୋଲିଥିଲେ। ଏଥିପାଇଁ ସେମାନେ ମାସିକ ୩ ଲକ୍ଷ ଭଡ଼ା ମଧ୍ୟ ଦେଉଥିଲେ।

Leave a Reply

Your email address will not be published. Required fields are marked *