ନିର୍ବାଚନ ପୂର୍ବରୁ ମମତାଙ୍କ ବଡ ଘୋଷଣା-‘ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକସିନ୍’

କୋଲକାତା:-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଭ୍ୟାକସିନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଅଭାବୀ ଲୋକଙ୍କୁ କରୋନା ଟିକା ଫ୍ରିରେ ଦେବ। ରାଜ୍ୟ ସରକାର ଏଥିପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ସରକାରଙ୍କ ଏହା ଏକ ବଡ ଘୋଷଣା ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଦେଶରେ ୨୦୨୧ ଜାନୁଆରୀ ୧୬ ତାରିଖରୁ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହେଉଛି। ଏହାପୂର୍ବରୁ ମମତା ବାନାର୍ଜୀ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟୀକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ୧୬ ତାରିଖରୁ ଆରମ୍ଭ ହେବାକୁଥିବା ଟୀକାକରଣ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ ସ୍ୱାସ୍ଥ୍ୟକର୍ମୀ, ୫୦ ବର୍ଷରୁ ବୟସ୍କ ଲୋକ ଏବଂ ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରହିଛି। ତେବେ ଏମାନଙ୍କ ଠାରୁ ଟୀକାକରଣ ପାଇଁ ଟଙ୍କା ନିଆଯିବ କି ନାହିଁ ତାହା କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କହିନାହାଁନ୍ତି।

ଇତି ମଧ୍ୟରେ ଦିଲ୍ଲୀ ସମେତ ଅନେକ ରାଜ୍ୟ ଦେଶବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଦାବି କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ସମୟରେ ବିଜେପି ମଧ୍ୟ ପ୍ରତିଶୃତି ଦେଇଥିଲା ଯେ ଯଦି ବିଜେପି ସରକାର ଆସେ ତାହେଲେ ତେବେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ।

୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଚଳିତ ବର୍ଷ ଏପ୍ରିଲ-ମେ ମାସରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ, ମମତାଙ୍କ ଏହି ଘୋଷଣାର ମହତ୍ତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୟାନରେ କହିଛନ୍ତି ଯେ “ମୁଁ ଘୋଷଣା କରି ଖୁସି ଯେ ଆମ ସରକାର ବିନା ଖର୍ଚ୍ଚରେ ରାଜ୍ୟବାସୀଙ୍କୁ କରୋନା ଟୀକା ଦେବାକୁ ବ୍ୟବସ୍ଥା କରୁଛି।”

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ଏବେ ସୁଦ୍ଧା ୫ ଲକ୍ଷ ୫୮ ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ୯୮୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ୫ ଲକ୍ଷ ୪୦  ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି।

Leave a Reply

Your email address will not be published. Required fields are marked *