ଏଏନ୍ଏମ୍ କର୍ମୀଙ୍କ ଆନ୍ଦୋଳନକୁ ନେଇ ଚିନ୍ତାରେ ପୋଲିସ
ଭୁବନେଶ୍ୱର: ଦେଢ଼ ମାସ ହେବ ସ୍ଥାୟୀ ନିଯୁକ୍ତି ଦାବିରେ ଗାନ୍ଧୀମାର୍ଗରେ ଧାରଣା ଦେଇଥିବା ଏଏନ୍ଏମ୍ କର୍ମୀଙ୍କୁ ନେଇ ଚିନ୍ତାରେ ପଡ଼ିଛି କମିଶନରେଟ ପୋଲିସ । ଆଗକୁ ସାଧାରଣତନ୍ତ୍ର ଦିବସ । ଏହାପୂର୍ବରୁ ଗାନ୍ଧୀମାର୍ଗକୁ ଖାଲି କରିବାକୁ ପଡ଼ିବ । ଉପରୁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଆସିଛି । ଆନ୍ଦୋଳରେ ଏକାଧିକ ଯୁବତୀ ଓ ମହିଳା ସାମିଲ ହୋଇଥିବାରୁ ସେମାନଙ୍କୁ ହାତ ମାରି ପାରୁନାହିଁ କି ଜବରଦସ୍ତ ଉଠାଇ ପାରୁନି ପୋଲିସ । କ୍ୟାପିଟାଲ ଥାନା ପୋଲିସ ନୋଟିସ ମାରିଥିଲେ ମଧ୍ୟ କିନ୍ତୁ ଏଏନ୍ଏମକର୍ମୀ ଏହାକୁ ଖାତିର କରୁନାହାନ୍ତି । ପୋଲିସ ଆମକୁ କେମିତି ଉଠାଇବ ଉଠାଉ ବୋଲି ସେମାନେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଆଗକୁ ଗାନ୍ଧୀମାର୍ଗରେ ଅଭ୍ୟାସ ପରେଡ୍ କରାଯିବ । ଏଥିସହିତ ରାଜ୍ୟସ୍ତରୀୟ ପତାକା ଉତୋଳନ ହେବ । ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ରାଜନେତା ଏଥିରେ ଯୋଗଦେବେ । ତେଣୁ ଏତେବଡ଼ କାର୍ଯ୍ୟକ୍ରମ ପାଇଁ ପଡ଼ିଆକୁ ଖାଲି କରିବାକୁ ହେବ । ତେଣୁ ଆଇନର ଭୟ ଦେଖାଇ ପୋଲିସ ସେମାନଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ହୋଇଛି । ଯାହାକି ନିନ୍ଦନୀୟ ଘଟଣା ବୋଲି ଏଏନ୍ଏମକର୍ମୀ କହିଛନ୍ତି । ତେବେ ଏଏନ୍ଏଏମ୍କର୍ମୀଙ୍କୁ ଧାରଣାରୁ ଉଠେଇବା ପାଇଁ ପୋଲିସ ବିଭିନ୍ନ ରଣ କୌଶଳ ଆପଣାଇଥିଲେ ମଧ୍ୟ ବିଫଳ ହେଉଛି । ତେଣୁ ଏବେ ପୋଲିସ ବ୍ରିଟିଶ ରୁଲ୍ ଆପଣାଇଥିବା କୁହାଯାଉଛି । ଏଏନ୍ଏମ୍ ଆନ୍ଦୋଳନ ପଛରେ ଏକ ଷଡଯନ୍ତ୍ର ଚାଲିଥିବା ପୋଲିସ କହୁଛି । ଚାକିରି ପାଇବାକୁ ହେଲେ ୧୫ ହଜାର ଟଙ୍କା ଦିଅ ଏବଂ ଭୁବନେଶ୍ୱର ଯାଇ ଆନ୍ଦୋଳନରେ ବସିବାକୁ କିଛି ଦଲାଲ ଏଏନ୍ଏମ୍କର୍ମୀଙ୍କୁ କହୁଥିବା ପୋଲିସ ସୂଚନା ଦେବା ସହ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଏଏନ୍ଏମକର୍ମୀ । ସେମାନଙ୍କ କହିବା ଅନୁସାରେ ପୋଲିସ ରାତିରେ ଆସି ଆମକୁ ନାନା ଧମକ ଦେଉଛି । ଆନ୍ଦୋଳନରୁ ନ ହଟିଲେ ଗିରଫ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛି । କିନ୍ତୁ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆମେ ହଲିବୁ ନାହିଁ ବୋଲି ଏଏନ୍ଏମ କର୍ମୀ କହିଛନ୍ତି ।
Report: Bhakta Bhushan Barik, Editor.