ମାହାଙ୍ଗା ଡବଲ ମର୍ଡର: ବିଜେପି ପରେ ପରିବାରକୁ ଭେଟିଲା କଂଗ୍ରେସ ଟିମ୍

ଭୁବନେଶ୍ୱର:- ମାହାଙ୍ଗା ବ୍ଲକର ନୃତାଙ୍ଗ ଗାଁରେ ଡବଲ ମର୍ଡର ଘଟଣାରେ ବିଜେପି ପ୍ରତିନିଧି ଦଳ ଗତକାଲି ଦୁଇ ମୃତକଙ୍କ ପରିବାରକୁ ଭେଟିଥିବାବେଳେ ଆଜି ପ୍ରଦେଶ କଂଗ୍ରେସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ଯାଂଚ କରିଛି। ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଭାବେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦୁଇ ମୃତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଭେଟି କେଉଁ ପରିସ୍ଥିତିରେ ଉଭୟଙ୍କୁ ହତ୍ୟା କରାଗଲା ସେନେଇ ଅବଗତ ହୋଇଥିଲେ। ଏହାପରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ମୃତ କୁଳମଣି ବରାଳଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କର ହତ୍ୟା ରାଜନୈତିକ ଉଦ୍ଦେଶ୍ୟ ସହ ଏକ ହୀନ ରାଜନୈତିକ ଚକ୍ରାନ୍ତ। ର୍ଦୁନୀତିରେ ବୁଡ଼ି ରହିଥିବା ରାଜ୍ୟ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧି ନିଜର ମୁଖା ଖୋଲିଯିବା ଭୟରେ ଏଭଳି ବୀଭତ୍ସ କାଣ୍ଡ କରିଛନ୍ତି।ସେ ଉଭୟ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକାକୁ ତୀବ୍ର ଭର୍ସନା କରିଥିଲେ। ମାହାଙ୍ଗା ବ୍ଲକରେ ବିଗତ ୪୦ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ରାଜନୀତି କରି ବ୍ଲକ ଅଧ୍ୟକ୍ଷ ସହ ବିଭିନ୍ନ ପଦପଦବୀରେ ରହି ଜନତାଙ୍କ ସେବା କରିଥିବା ସ୍ୱର୍ଗତ କୁଳମଣୀ ବରାଳ ୨୦୧୮ ମସିହାରେ ବିଜେପିରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଓ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଅନେକ ଅନୀତି ଓ ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରୁଥିବା ସ୍ୱର୍ଗତ ବରାଳଙ୍କୁ ହତ୍ୟା କରାଯାଇଛି। ସ୍ୱର୍ଗତ ବରାଳ ମୃତ୍ୟୁ ପୂର୍ବରୁ ତାଙ୍କ ବଡ଼ ପୁଅଙ୍କ ଆଗରେ ବୟାନ ଦେଇଥିଲେ। ପୁଲିସ୍ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଇବା ପାଇଁ ଅପପ୍ରୟାସ କରୁଛି। ସ୍ୱର୍ଗତ ବରାଳଙ୍କ ହତ୍ୟାକାରୀକୁ ଉଚିତ୍ ଦଣ୍ଡ ଦେବା ସହ ମାହାଙ୍ଗା ଭଳି ଏକ ଶାନ୍ତିପ୍ରିୟ ଅଂଚଳରେ ପ୍ରଶାସନିକ ଶାନ୍ତି ବଜାୟ ରଖିବା ପାଇଁ ସେ ଓଡ଼ିଶା ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କର ନୈତିକତା ଦୃଷ୍ଟିରୁ ପଦତ୍ୟାଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *