ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୌରଭ ଗାଙ୍ଗୁଲି
କୋଲକାତା:–ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଗୁରୁବାର ଉଡ୍ଲାଣ୍ଡ୍ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ ହସ୍ପିଟାଲ୍ରୁ ଗତକାଲି ଡିସ୍ଚାର୍ଜ ହୋଇଥାନ୍ତେ, ମାତ୍ର ତାଙ୍କ ସ୍ବଇଚ୍ଛାରେ ଆଉ ଗୋଟାଏ ଦିନ ଅଧିକ ହସ୍ପିଟାଲ୍ରେ ରହିବାକୁ ଚାହିଁଥିଲେ। ଫଳରେ ଆଜି ପୂର୍ବାହ୍ନରେ ତାଙ୍କୁ ଡିସ୍ଚାର୍ଜ କରାଯାଇଛି।କୋଲକାତାର ଉଡ୍ଲାଣ୍ଡ୍ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବା ପରେ ଗାଙ୍ଗୁଲି କହିଛନ୍ତି କି ‘ହସ୍ପିଟାଲ୍ରେ ମୋର ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ପୂରାପୂରି ଭଲ ଅଛି।’ ଗତ ୨ ତାରିଖ ସକାଳେ ଜିମରେ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି। ଏହାପରେ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।