ସାଇବର ଠକେଇକୁ ରୋକି ପାରିବ କି ହେଲ୍ଫ ଡେସ୍କ?,ସ୍ପେଶାଲ ସ୍କ୍ୱାର୍ଡରେ ଆରମ୍ଭ ହେଲା ଡେସ୍କ, ଠକେଇର ଏକ ଘଣ୍ଟା ମଧ୍ୟରେ ଜଣାଇବାକୁ ସିପିଙ୍କ ନିବେଦନ

ଭୁବନେଶ୍ୱର:-ରାଜଧାନୀରେ ଗତ କିଛି ମାସ ହେବ ସାଇବର ଅପରାଧ ବଢିବାରେ ଲାଗିଛି । ପ୍ରତି ସପ୍ତାହରେ ରାଜଧାନୀର ବିଭିନ୍ନ ଥାନାରେ ୧୨ଟି ଅଭିଯୋଗ ହେଉଛି । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଅପରାଧିଙ୍କ ନିକଟରେ ପହଞ୍ଚିବାରେ ବିଫଳ ହେଉଛି । ଯାହାର ଫାଇଦା ନେଇ ସାଇବର ଅପରାଧି ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରି ଠକେଇ କରୁଛନ୍ତି । ବିଶେଷ କରି ଲକ୍‌ଡାଉନ ପରେ ସାଇବର ଅପରାଧ ବଢିଯାଇଛି । ୨୦୨୦ରେ ଟ୍ୱିନ୍ ସିଟିରେ ୪ହଜାର ସାଇବର ଠକେଇ ଜନିତ ମାମଲା ରୁଜୁ ହୋଇଛି । କିନ୍ତୁ ସବୁଠୁ ବଡ଼ କଥା ହେଲା ଗୋଟିଏ ବି ମାମଲାରେ କମିଶନରେଟ ପୁଲିସକୁ ସଫଳତା ମିଳିନାହିଁ । ଯାହାକୁ ନେଇ କମିଶନରେଟ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି । ଶେଷରେ ଏଭଳି ସାଇବର ଠକେଇକୁ ରୋକିବା ପାଇଁ କମିଶନରେଟ ପୁଲିସ ଏକ ହେଲ୍ଫ ଡେସ୍କ ଖୋଲାଯାଇଛି । ଏହି ହେଲ୍ଫ ଡେସ୍କ ସ୍ପେଶାଲ ସ୍କ୍ୱାର୍ଡରେ କାର୍ଯ୍ୟ କରିବ । ପ୍ରାଥମିକ ସ୍ଥରରେ ଜଣେ ଏସ୍‌ଆଇ ଏବଂ ୭ଜଣ କନ୍‌ଷ୍ଟେବଳ ଦାଇତ୍ୱରେ ରହିବେ । ଏହି ହେଲ୍ଫ ଡେସ୍କ ନିକଟରେ ସାଇବର ଅପରାଧ ସମ୍ପର୍କୀତ ଅଭିଯୋଗ ହେଲେ ସେମାନେ ଏହାକୁ ଗ୍ରହଣ କରି ତଦନ୍ତ କରିବେ । ଏପରକି ଯେଉଁ ଥାନା ଅଞ୍ଚଳରେ ଅଭିଯୋଗକାରୀ ରହୁଥିବେ ଉକ୍ତ ଥାନାରେ ମାମଲା ରୁଜୁ ହେବ । କିନ୍ତୁ ଏହାର ତଦନ୍ତ ସ୍ପେଶାଲ ସ୍କ୍ୱାର୍ଡରେ ଥିବା ସାଇବର ଏକ୍ସପର୍ଟ କରିବେ ବୋଲି ପୁଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ କହଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,ମହିଳାଙ୍କୁ କଲ୍ କରି ହଇରାଣ କରାଯାଉଥିଲେ ସେମାନେ ମଧ୍ୟ ଏହି ଡେସ୍କର ସହଯୋଗ ନେଇପାରିବେ । ବିଶେଷ କରି ଠକେଇର ଏକ ଘଣ୍ଟା ମଧ୍ୟରେ ଅଭିଯୋଗକାରୀ ଫୋନ୍ କରି ସହାୟତା ନେଇ ପାରିବେ । ଏହି ହେଲ୍ଫ ଡେସ୍କ ପାଇଁ ପୁଲିସ ଏକ ସହାୟତା ନମ୍ବର ଜାରି କରିଛନ୍ତି । ଏହି ଫୋନ୍ ନମ୍ବର ୨୪ ଘଣ୍ଟା ଖୋଲା ରହିବ ବୋଲି ସିପି କହିଛନ୍ତି । ସବୁଠୁ ବଡ଼ କଥା ହେଲା ଏହି ହେଲ୍ଫ ଡେସ୍କ ସାଇବର ଠକେଇକୁ ରୋକି ପାରିବ ତ? ଯାହାକୁ ନେଇ ବିଭିନ୍ନ ଲୋକଙ୍କ ମନରେ ନାନା ମତ ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *