ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ, ‘୬ ସପ୍ତାହରେ ଜବାବ ଦିଅ’
ଭୁବନେଶ୍ୱର:- ବହୁ ଚର୍ଚ୍ଚିତ ଓମ୍ଫେଡ୍ ଦୁର୍ନୀତି ମାମଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଉତ୍ତର ରଖିବାକୁ ନୋଟିସ ଜାରି ହୋଇଛି ।୨୦୧୫ ଅଗଷ୍ଟରୁ ୨୦୧୬ ଜୁନ୍ ଭିତରେ ବିଷ୍ଣୁପଦ ଓମଫେଡ୍ର ପରିଚାଳନା ନିର୍ଦ୍ଦେଶକ ଥିଲେ। ବିଷ୍ଣୁପଦଙ୍କ କାର୍ଯ୍ୟାଳୟରେ ଓମ୍ଫେଡରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ।ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ମଧ୍ୟ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ୨୦୧୯ ମସିହାରେ ନୋଟିସ ଜାରି କରିଥିଲେ । ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ସୂଚନାକର୍ମୀ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗ ଉପରେ ଲୋକାୟୁକ୍ତ ଶ୍ରୀ ସେଠୀଙ୍କୁ ନୋଟିସ୍ ଜାରି କରିଥିଲେ।