ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପ୍ରୋତ୍ସାହନ
ଭୁବନେଶ୍ୱର: ରାଜ୍ୟର ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ଫଳରେ ନିଟ୍ ଏବଂ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜମାନଙ୍କରେ ଉପରୋକ୍ତ ପାଠ୍ୟକ୍ରମରେ ହ୍ରାସ ପାଉଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବ ନାହିଁ । ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କର ଅଭାବ ନଥିବା ବେଳେ ଗ୍ରାମାଞ୍ଚଳରେ ଉପଯୁକ୍ତ କୋଚିଂ ସୁବିଧା ନଥିବାରୁ ଏହିସବୁ ପ୍ରତିଯୋଗୀତାମୂଳକ ପରୀକ୍ଷା ଗୁଡ଼ିକରେ ଭଲ ପ୍ରଦର୍ଶନ କରିପାରୁ ନଥିଲେ ।
ଏସବୁକୁ ନଜରରେ ରଖି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାକୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଲାଗୁ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଆଗତ ହୋଇଛି । ସଂକଳ୍ପ କ୍ୟାବିନେଟରେ ପାରିତ ହୋଇଥିବା ବେଳେ ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ ହେବ । ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ । ଏହି କମିଟି ୩ ମାସ ମଧ୍ୟରେ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । କମିଟିର ସୁପାରିସକୁ ଆଗାମୀ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ । କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।