ମରିପଡୁଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ

କୋଣାର୍କ :- ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏବେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ନିକଟରେ କୋଣାର୍କର ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ଶହ ଶହ ଅଲିଭ୍ ରିଡଲେ କଇଁଛ ମରିପଡ଼ିଥିବାର ଦେଖିବାକୁ ମିଳୁଛି ।

ସମୁଦ୍ର କୂଳରେ ମରି ପଡ଼ିଛନ୍ତି ମାଳ ମାଳ ଅଲିଭ୍ ରିଡଲେ କଇଁଛ । ବର୍ତ୍ତମାନ କୋଣାର୍କ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ଆପଣ ଗଲେ ସମୁଦ୍ର କୂଳରେ ଆପଣଙ୍କୁ ଏଭଳି ଚିତ୍ର ଦେଖିବାକୁ ମିଳିବ । ଯିଏ ବି ଏ ଦୃଶ୍ୟ ଦେଖୁଛି, ତା’ ମନରେ ପ୍ରଶ୍ନ ଉଠୁଛି ସରକାରୀ ସ୍ତରରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ହୋଇଥିବା ଯୋଜନା ଗୁଡ଼ିକର ବାସ୍ତବତା କ’ଣ ?ନଭେମ୍ବର ମାସରେ ବିରଳ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବାକୁ ଗଭୀର ସମୁଦ୍ର ଭିତରୁ କୂଳକୁ ଆସିଥାନ୍ତି । ଏହି ସମୟରେ କୂଳରୁ ୨୦ କିଲୋମିଟର ଭିତରକୁ ଟ୍ରଲର ଚଳାଚଳକୁ ନିଷେଧ କରାଯାଇଥାଏ । ହେଲେ ବର୍ତ୍ତମାନ ସ୍ଥିତିରେ ବେଲେଶ୍ବରଠାରୁ କୁଶଭଦ୍ରା ମୁହାଣ ଭିତରେ ଶହ ଶହ ଅଲିଭ ରିଡଲେ କଇଁଛ ମରିପଡ଼ିବା ନିଶ୍ଚିତ ଭାବେ ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ସ୍ପଷ୍ଟ କରୁଛି ।ଅଲିଭ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କଇଁଛ ସୁରକ୍ଷା କେବଳ କାଗଜ କଲମରେ ଚାଲିଛି । ସରକାରୀ ଟଙ୍କାକୁ ଚଳୁ କରି ଅଧିକାରୀ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବଢ଼ାଇବାରେ ଲାଗିଛନ୍ତି, ଏପଟେ ବେଆଇନ ଭାବେ ଟ୍ରଲର ଓ ଡଙ୍ଗା ମାଡ଼ରେ ମରୁଛନ୍ତି ଅଲିଭ ରିଡଲେ କଇଁଛ ।

Leave a Reply

Your email address will not be published. Required fields are marked *