ଜେଲ୍ ଗଲା ପରୀ ହତ୍ୟା ଅଭିଯୁକ୍ତ, କାଲିଠୁ ରିମାଣ୍ଡରେ ନେଇ ଜେରା କରିବ ଏସ୍ଆଇଟି
ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ଅଭିଯୁକ୍ତ ରବିବାର ଗିରଫ ହେବା ପରେ ଏସ୍ଆଇଟି ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରିଥିଲା । ଏଥିସହ ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ଏସ୍ଆଇଟି ପକସୋ କୋର୍ଟରେ ଆବେଦନ କରିଥିଲା । କୋର୍ଟ ୩ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଏସଆଇଟି ଆସନ୍ତାକାଲି ଠାରୁ ପରୀ ହତ୍ୟା ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିବ । ୨୨ରୁ ୨୪ ତାରିଖ ଯାଏ ରିମାଣ୍ଡରେ ନେବାକୁ ପକସୋ କୋର୍ଟ ଅନୁମତି ଦେଇଛନ୍ତି । ପରୀ ହତ୍ୟା ଅଭିଯୁକ୍ତକୁ ନୟାଗଡ଼ ଜେଲ୍ ନିଆଯାଇଛି । ଏସ୍ଆଇଟି ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟରେ ଉପସ୍ଥାପନ କରିଥିଲା । ଓସିଫିକେସନ ଟେଷ୍ଟ ରିପୋର୍ଟ ଆଧାରରେ ଏସ୍ଆଇଟି ସାବାଳକ ଦର୍ଶାଇଛି । କାଲିଠାରୁ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଏସ୍ଆଇଟି ଜେରା କରିବ ।
ରବିବାର ଏସଆଇଟି ଟିମ୍ ପରୀର ପଡ଼ୋଶୀ ଯଦୁପୁର ଗାଁର ଜଣେ ଅଭିଯୁକ୍ତକୁ ଜେରା ପରେ ଗିରଫ କରିଥିଲା । ଆଜି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏସଆଇଟି ପରିବାର ଲୋକଙ୍କ ସହ ଭେଟ୍ କରାଇବା ପରେ କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତକୁ ୪ ଦିନ ଲାଗି ରିମାଣ୍ଡରେ ନେବା ଲାଗି ପକସୋ କୋର୍ଟରେ ଏସଆଇଟି ଆବେଦନ କରିଥିଲା । ଆବେଦନକୁ ବିଚାର କରି ପକସୋ କୋର୍ଟ ୩ ଦିନ ଲାଗି ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ପ୍ରମାଣ ମିଳିବା ପରେ ଏସଆଇଟି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଅପରାଧରେ ଆଉ କାହାର ସମ୍ପୃକ୍ତି ରହିଛି । ଅଭିଯୁକ୍ତ ମୁହଁରୁ ସତ ବାହାର କରିବ ଏସଆଇଟି । କୁନି ଝିଅ ପରୀ ହତ୍ୟା ପଛରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ଅଧିକ ପ୍ରମାଣ ଯୋଗାଣ ପାଇଁ ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ନିକଟରେ ଥିବା ପୋଖରୀକୁ ଶୁଖାଇବା ଲାଗି ଏସଆଇଟି ଯୋଜନା କରୁଛି ।ରବିବାର ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ ହୋଇଥିବା ବେଳେ ଅଭିଯୁକ୍ତ ନାଁରେ ସଙ୍ଗୀନ ଦଫା ଲାଗିଛି । ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏସଆଇଟି ।