ଲଗାତାର ଦ୍ଵିତୀୟ ସିରିଜ୍‌ରେ କ୍ଲିନ୍ ସୁଇପ୍‌ରୁ ବଞ୍ଚିବା ପାଇଁ ଆସନ୍ତାକାଲି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

କାନବେରା:-ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଭାରତୀୟ ଦଳ ବୁଧବାର ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଅନ୍ତିମ ମୁକାବିଲା ଖେଳିବ। ଏହି ମ୍ୟାଚ୍‌ ଜିତି ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ। ଏହି ମ୍ୟାଚ୍‌ ଜିତିବା ପାଇଁ ଦଳ ଆକ୍ରମଣାତ୍ମକ ରଣନୀତି ଆପଣେଇପାରେ। କାରଣ ଦଳ କ୍ରମାଗତ ଦୁଇଟି ସିରିଜ୍‌ରେ କ୍ଲିନ ସୁଇପ୍‌ରୁ ବଞ୍ଚିବାକୁ ଚେଷ୍ଟା କରିବ। ଅଷ୍ଟ୍ରେଲିଆ ଯଦି ୩-୦ରେ ଶୃଙ୍ଖଳା ଜିତି ନିଏ ତେବେ ଭାରତ କ୍ରମାଗତ ଦ୍ଵିତୀୟ ସିରିଜ୍‌ରେ କ୍ଲିନ ସୁଇପ୍‌ର ସାମ୍ନା କରିବ। ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ଦିନିକିଆ ସିରିଜ୍ ହାରିଥିଲା।

ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦ ବର୍ଷରେ ପ୍ରଥମ ଥର କ୍ଲିନ ସୁଇପ୍‌ରୁ ବଞ୍ଚିବା ପାଇଁ ଭାରତ ଭିନ୍ନ ରଣନୀତି ଆପଣେଇବ ବୋଲି ଟପ୍ ଅର୍ଡର ବ୍ୟାଟସମ୍ୟାନ ଶ୍ରେୟସ ଆୟର କହିଛନ୍ତି। ଆମର ବୋଲର ନିଜର ବୋଲିଂ ପ୍ରସ୍ତୁତିକୁ ନେଇ ସକରାତ୍ମକ ରହିଛନ୍ତି। କିଛି ବୋଲର ନିଶ୍ଚିତ ଯୋଜନା ସହିତ ପ୍ରସ୍ତୁତି କରିଛନ୍ତି।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ସିଡନୀରେ ରନ ବର୍ଷା ହୋଇଥିଲା। ଅଷ୍ଟ୍ରେଲିଆ ସହଜରେ ବିରାଟ ବାହିନୀଙ୍କୁ ପରାସ୍ତ କରିଥିଲା। ଭାରତ ଆସନ୍ତାକାଲିର ମ୍ୟାଚ୍ ଜିତି ଆତ୍ମବିଶ୍ଵାସ ସହିତ ଟି-୨୦ ସିରିଜ୍ ଆରମ୍ଭ କରିବାକୁ ଚେଷ୍ଟା କରିବ। ଅଧିନାୟକ କୋହଲି ସ୍ଵୀକାର କରି ସାରିଛନ୍ତି ଯେ, ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚ୍‌ରେ ତାଙ୍କ ଦଳକୁ ସଂପୂର୍ଣ୍ଣ ଭାବେ ପଛରେ ପକାଇ ଦେଇଛନ୍ତି। ଆଶା କରାଯାଉଛି ଭାରତ ବିଜୟ ପାଇଁ ଅନ୍ତିମ ଦିନିକିଆରେ ଦଳରେ କିଛି ପରିବର୍ତ୍ତନ କରିବ।

ପ୍ରଥମ ଥର ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତର ଦ୍ରୁତ ବୋଲର ନବଦୀପ ସାଇନି ଦୁଇଟି ମ୍ୟାଚ୍‌ରେ ସଠିକ୍ ଲାଇନ୍‌ ଓ ଲେଙ୍ଗ୍‌ଥରେ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ସାଇନି ୭ ଓଭରରେ ୭୦ ରନ ବ୍ୟୟ କରିବା ପରେ କୋହଲିଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଜରିଆରେ ତାଙ୍କ ଓଭର କୋଟା ପୂରା କରିଥିଲେ। ତୃତୀୟ ତଥା ଶେଷ ଦିନିକିଆରେ ତାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର କିମ୍ଵା ଟି ନଟରାଜନଙ୍କୁ ଦଳରେ ସୁଯୋଗ ମିଳିପାରେ। ଶାର୍ଦ୍ଦୁଳଙ୍କ ନିକଟରେ ୨୭ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ର ଅନୁଭବ ରହିଥିବା ବେଳେ ନଟରାଜନ ୟର୍କର ଫିଙ୍ଗିବାରେ ମାହିର।

କୋହଲି ଯଦି ଟେଷ୍ଟ ସିରିଜ୍ ପୂର୍ବରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଦୁହିଁଙ୍କୁ ବିଶ୍ରାମ ଦିଆଯିବାର ନିଷ୍ପତ୍ତି ନିଆଯାଏ ତେବେ ଶାର୍ଦ୍ଦୁଳ ଓ ଟି ନଟରାଜନଙ୍କୁ ଖେଳିବାର ସୁଯୋଗ ମିଳିପାରେ। ଦିନିକିଆ ସିରିଜ୍‌ରେ ଭାରତୀୟ ବୋଲର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ବିଫଳ ରହିବା ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି।

ଦଳ ପାଇଁ ସବୁଠୁ ବଡ ଚିନ୍ତା ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଷ୍ଟିଭ୍ ସ୍ମିଥ୍। ସେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ୬୨ ବଲରେ ଶତକ ଅର୍ଜନ କରିଛନ୍ତି। ଆଇପିଏଲରେ ବିଫଳ ହୋଇଥିବା ଗ୍ଲେନ ମ୍ୟାକ୍ସଓ୍ଵେଲ ବିସ୍ଫୋରକ ବ୍ୟାଟିଂ କରିବା ଭାରତୀୟ ଅଧିନାୟକଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। ଅନ୍ୟପଟେ ଦ୍ରୁତ ବୋଲର ସହିତ ସ୍ପିନ ବୋଲର ମଧ୍ୟ ଦଳକୁ ନିରାଶ କରିଛନ୍ତି।

ୟୁଜବେନ୍ଦ୍ର ଚହଲ ୧୯ ଓଭରରେ ୧୬୦ ରନ ଦେଇ କେବଳ ଗୋଟିଏ ଓ୍ଵିକେଟ୍ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜା ରନଗତି ଉପରେ ଅଙ୍କୁଶ ଲଗାଇଥିଲେ ମଧ୍ୟ ଓ୍ଵିକେଟ୍ ନେବାରେ ବିଫଳ ହୋଇଛନ୍ତି। ତେଣୁ ଆସନ୍ତାକାଲିର ମ୍ୟାଚ୍‌ ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ। ଗତ ଅଷ୍ଟ୍ରେଲିଆ ଗସ୍ତରେ ଯାଦବ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କୁ ବହୁ ହଇରାଣରେ ପକାଇଥିଲେ।

Leave a Reply

Your email address will not be published. Required fields are marked *