ପାଟିରେ ସୁନା ପୁରାଇ ସ୍ମଗଲିଂ, ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଗଲେ ସ୍ମଗଲର୍, ୪୦୦ ଗ୍ରାମ୍‌ର ସୁନା ଜବତ

ଭୁବନେଶ୍ୱର:-କରୋନା ଭାଇରସ ଓ ଲକଡାଉନ୍ ପାଇଁ ବିମାନ ଯୋଗେ ସୁନା ଚୋରା ଚାଲାଣ କିଛି ମାସ ହେଲା ବନ୍ଦ ରହିଥିଲା। ଲକ୍‌ଡାଉନ୍‌ ପରେ ପ୍ରଥମଥର ପାଇଁ ଧରାପଡିଛନ୍ତି ଚୋରାରେ ସୁନା ବିସ୍କୁଟ୍‌ ନେଉଥିବା ଜଣେ ଯାତ୍ରୀ । ଗିରଫ ଯାତ୍ରୀ ହେଲେ ଏ ଜୈନୁଲାଦ୍ଦିନ୍‌। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସୁନା ବିସ୍କୁଟ ଚେନ୍ନାଇ ନେଉଥିବା ବେଳେ କଷ୍ଟମ ଅଫିସର ତାଙ୍କୁ କାବୁ କରିଥିଲେ । ତାଙ୍କଠାରୁ ପ୍ରାୟ ୪୦୦ ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ,  ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରେ ଅପରାହ୍ନ ସାଢ଼େ ୩ଟାରେ ଜୈନୁଲାଦ୍ଦିନ୍‌ ନୂଆ ଟର୍ମିନାଲ ଦେଇ ଭିତରକୁ ପଶିଥିଲେ। ସନ୍ଧ୍ୟା ୬ଟା ୧୦ରେ ସେ ଫ୍ଲାଇଟ୍‌ ନମ୍ବର ୬ଇ-୨୦୯ ବିମାନରେ ଚେନ୍ନାଇ ଯାଇଥାନ୍ତେ। ତେବେ ରନ୍‌ୱେକୁ ପ୍ରବେଶ ପୂର୍ବରୁ ଏୟାରପୋର୍ଟ ସିକ୍ୟୁରିଟି ଗେଟ୍‌ର ବୁଥ୍‌ ନମ୍ବର ୩ରେ ତାଙ୍କର ଯାଞ୍ଚ ହୋଇଥିଲା । ଯାଞ୍ଚ ଦାୟିତ୍ୱରେ ଥିବା ଏସ୍‌ଆଇ ଏଚ୍‌.ଏସ୍‌. ପ୍ରସାଦ ତାଙ୍କର ଶରୀର ସହ ଲଗେଜକୁ ତଦାରଖ କରିଥିଲେ। କିନ୍ତୁ ସେ ପାଟି ଖୋଲିନଥିଲେ ଏବଂ କିଛି ଉତ୍ତର ଦେଇନଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା ।

ଦାୟିତ୍ୱରେ  କଷ୍ଟମ ବିଭାଗର ସବ୍‌ଇନ୍ସପେକ୍ଟର ବି. ଏସ୍‌ ନାୟକ ଓ କେ. କେ ଦୁବେ ତାଙ୍କର ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ସେହି ସମୟରେ ପାଟିରେ ସେ ୨ ଖଣ୍ଡ ସୁନା ବିସ୍କୁଟ ରଖିଥିବା ଜଣାପଡ଼ିଥିଲା । ସେଗୁଡ଼ିକୁ ବାହାର କରିବା ପରେ ଅନ୍ୟ ୨ଟି ସୁନା ବିସ୍କୁଟ ତାଙ୍କ ମଳଦ୍ୱାରରେ ରଖିଥିବା ଜୈନୁଲିଦ୍ଦିନ୍‌ ମାନିଥିଲେ । ସମସ୍ତ ସୁନା ବିସ୍କୁଟ୍‌କୁ ଜବତ କରିଛି କଷ୍ଟମ ବିଭାଗ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସୁନା ଅଳଙ୍କାର ଜୁଏଲର୍ସ ମାଲିକଙ୍କଠାରୁ ଏହା କିଣାଯାଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *