ତାମିଲନାଡୁ-ପୁଡୁଚେରୀ ଉପକୂଳକୁ ମୁହାଁଇଛି ଘୂର୍ଣ୍ଣିବାତ୍ୟା ‘ନିଭାର’, ବହୁଛି ୧୨୦-୧୩୦ କିମି ବେଗରେ ବତାସ

ଚେନ୍ନାଇ :– ବର୍ଷର ଦ୍ୱିତୀୟ ଭୟଙ୍କର ବାତ୍ୟା ‘ନିଭାର’ ଏବେ ଉପକୂଳକୁ ମୁହାଁଇଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉପକୂଳକୁ ମୁହାଁଥିବା ଏହି ଘୂର୍ଣ୍ଣିବାତ୍ୟାର ସ୍ଥଳଭାଗକୁ ପ୍ରବେଶ ପ୍ରକ୍ରିୟା ବୁଧବାର ରାତି ୨ଟାରୁ ଆରମ୍ଭ ହେବ। ଏଣୁ ଏବେଠୁ କ୍ରମଶଃ ଝଡ଼ ବତାସ ବଢିବାରେ ଲାଗିଥିବା ବେଳେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୧୨୦-୧୩୦ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି। ଏହା ପୂର୍ବରୁ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା’ଅମ୍ଫାନ’ ଗତ ମେ ମାସ ୨୧ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ଭୂ-ଭାଗ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିଲା।ଘୂର୍ଣ୍ଣିବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଲହରୀ ଉଠୁଥିବା ବେଳେ ଟ୍ରେନ୍‌ ଓ ବିମାନ ଚଳାଚଳ ବାତିଲ କରିଦିଆଯାଇଛି। ଘୂର୍ଣ୍ଣିବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ ଗୁରୁବାର ଚେନ୍ନାଇ ସମେତ ଭେଲ୍ଲୋର, କୁଡ୍ଡାଲୁର, ବିଲ୍ଲୁପୁରମ, ନାଗାପଟ୍ଟିନମ, ତିରୁବରୁର, ଚେଙ୍ଗୋଲପେଟ ଓ କାଞ୍ଚୀପୁରମ ସମେତ ୧୩ ଜିଲ୍ଲାରେ ସାର୍ବଜନିକ ଛୁଟି ଘୋଷଣା କରିଛନ୍ତି।ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ବାତ୍ୟା କରାଇକଲ ଓ ମାମଲ୍ଲାପୁରମ ମଧ୍ୟରେ ଭୂ-ଭାଗକୁ ପ୍ରବେଶ କରିବ। ବାତ୍ୟା ଏବେ ଭୟଙ୍କର ରୂପ ଧାରଣ କରିସାରିଥିବା ବେଳେ ଆଗାମୀ ୬ ଘଣ୍ଟାରେ ସ୍ଥଳଭାଗକୁ ପ୍ରବେଶ କରିବ। ସାମୁଦ୍ରିକ ଝଡ ଉପକୂଳ ପ୍ରବେଶ ପରେ ମଧ୍ୟ ଏହାର ପ୍ରଭାବରେ ଆଗାମୀ ୨ ଦିନ ଧରି ବର୍ଷା ଲାଗି ରହିବ। କେଉଁଠି କେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛନ୍ତି।

Leave a Reply

Your email address will not be published. Required fields are marked *