ଧଉଳି ଶାନ୍ତି ସ୍ତୁପର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର:- ଐତିହାସିକ ଧଉଳି ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ଏବଂ ରକ୍ଷଣାବେକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । କଳିଙ୍ଗ ନିପନ ବୁଦ୍ଧ ସଂଘର ଆଗ୍ରହ କ୍ରମେ ସାଂସଦ ଗତ ୧୫ ତାରିଖରେ ଧଉଳି ପରିଦର୍ଶନ କରି ସମସ୍ତ ସମସ୍ୟାର ସମୀକ୍ଷା କରିବା ସହ ଆବଶକୀୟ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି ।ଅନ୍ୟପଟେ ଶାନ୍ତି ସ୍ତୁପର ମରାମତି ଧଉଳି ଡେଭଲପମେଣ୍ଟ କମିଟି କରିବ । ଶନିବାର  ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ୍ ହାଉସରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ପୂର୍ତ୍ତ ବିଭାଗର ଏକ ଇଂଜିନିୟରିଂ ଟିମ୍ ସ୍ତୁପର ଟିକିନିଖି ଯାଞ୍ଚ  କରିବେ । ଯାଞ୍ଚ ପରେ ମରାମତି କାମ ଆରମ୍ଭ ହେବ ବୋଲି ଜଣାପଡିଛି । ଧଉଳି ଡେଭଲପମେଣ୍ଟ କମିଟିର ଫଣ୍ଡରେ ମରାମତି କାମ କରାଯିବ । ଆବଶ୍ୟକ ପଡ଼ିଲେ ସରକାରଙ୍କୁ ଅଧିକ ଅର୍ଥ ମଗାଯିବ ବୋଲି ଯୋଜନା ହୋଇଛି । କଳିଙ୍ଗ ବୁଦ୍ଧ ନିପନ ସଂଘ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି । ତେବେ କାମ ଆରମ୍ଭ କରିବା ପୂର୍ବରୁ  ସଂଘ ସହ ଆଲୋଚନା କରି ମରାମତି କଲେ ଭଲ ହେବ ବୋଲି କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ରକ୍ଷଣାବେକ୍ଷଣ ଅଭବାରୁ  ପିସ୍ ପାଗୋଡାର କିଛି ସ୍ଥାନରେ ଫାଟ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଗଭୀର ଫାଟ ସାଙ୍ଗକୁ ଠାଏ ଠାଏ କଙ୍କ୍ରିଟ୍ ଖଣ୍ଡ ମଧ୍ୟ ଖସିଲାଣି । ଏ ନେଇ ନ୍ୟୁଜ୍ ସେଭେନ୍ ରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଏହାଛଡା ଉପରେ ଥିବା ଦୋକାନଗୁଡିକୁ ମଧ୍ୟ ଉଚ୍ଛେଦ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ଧଉଳି ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ ବୋଲି ଜଣାପଡିଛି ।

ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ଶାନ୍ତି ସ୍ତୁପକୁ ଦେଖିବା ପାଇଁ ଆସିଥାଆନ୍ତି । ତେବେ ଯେତେ ଶୀଘ୍ର ଏହାର ମରାମତି ହୋଇପାରିବ ରାଜ୍ୟର ପର୍ଯ୍ୟଟନ ସ୍ଥଳର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନର ଗୁରୁତ୍ବ ଆହୁରି ବଢି ପାରନ୍ତା ।

Leave a Reply

Your email address will not be published. Required fields are marked *