କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣା: ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ:-ମୁମ୍ବାଇ ମହାନଗର ନିଗମ (ବିଏମସି) ସେପ୍ଟେମ୍ବର ୯ ରେ ବାନ୍ଦ୍ରାରେ ଥିବା  କଙ୍ଗନା ରଣାଓ୍ବତଙ୍କ ଘରକୁ ବେଆଇନ ଦର୍ଶାଇ ଭାଙ୍ଗିଥିଲା । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ବମ୍ବେ ହାଇକୋର୍ଟ ଏହି ଉଚ୍ଛେଦ ଉପରେ ରହିତାଦେଶ ଦେଇଥିଲେ । ନଭେମ୍ବର ୨୬ ତାରିଖରେ ଏହି ମାମଲାର ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ । ମହାରାଷ୍ଟ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୂର୍ବରୁ ଟାର୍ଗେଟ କରିଥିବା କଙ୍ଗନା ଏହି ଉଚ୍ଛେଦ ମାମଲାରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ କଙ୍ଗନା ରଣାଓ୍ବତ ଶିବସେନାର ଟାର୍ଗେଟ ହୋଇଯାଇଥିଲେ । ଏହି ମନ୍ତବ୍ୟ ପରେ ଚିହିକି ଉଠିଥିଲା ମୁମ୍ବାଇ ପ୍ରଶାସନ । ବୁଲଡୋଜର ଲଗାଇ କଙ୍ଗନା ରଣାଓ୍ବତଙ୍କ ବାନ୍ଦ୍ରାସ୍ଥିତ ମଣି କର୍ଣ୍ଣିକା ଷ୍ଟୁଡିଓକୁ ଭାଙ୍ଗିଥିଲା ବିଏମସି । ଏହାର କିଛି ଘଣ୍ଟା ମଧ୍ୟରେ ଘର ଭଙ୍ଗାକୁ ନେଇ ରହିତାଦେଶ ଦେଇଥିଲେ ହାଇକୋର୍ଟ । କିଛି ଦିନ ପୂର୍ବରୁ କଙ୍ଗନା ଆଉ ଏକ ଅଭିଯୋଗ ଆଣିଥିଲେ । ବିଏମ୍‌ସିକୁ ତାଙ୍କ ଘର ଭଙ୍ଗାରୁଜା ମାମଲାରେ ଓକିଲଙ୍କ ଦେୟ ଦେବାକୁ ସାଧାରଣ ଲୋକଙ୍କ ଟଙ୍କା ଖର୍ଚ୍ଚ କରିଥିବା କହିଥିଲେ । ସେ କହିଥିଲେ ଯେ, ବିଏମସି ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢିବାକୁ ଓକିଲ ବାବଦ ପ୍ରାୟ ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଲେଣି ଯାହାକି ସାଧାରଣ ଜନତାଙ୍କ ଟଙ୍କା ।କଙ୍ଗନା ରଣାଓ୍ବତ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ ଆରମ୍ଭ ହୋଇଯାଇଥିଲା ଟ୍ବିଟର ଯୁଦ୍ଧ । ଗୋଟିଏ ପଟେ କଙ୍ଗନା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟ ପଟେ ବଲିଉଡର ଏକ ଗୋଷ୍ଠୀ ସେମାନଙ୍କୁ ଦର୍ପଣ ଦେଖାଇବାକୁ ଚେଷ୍ଟା କରୁଥିଲା । ସମସ୍ତେ କଙ୍ଗନା ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ କରୁଥିଲେ । ତେବେ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଖୋଲାଖୋଲି ଧମକ ଦେଇ କହିଥିଲେ ଯେ, କଙ୍ଗନା ମୁମ୍ବାଇ ଫେରିବା ଉଚିତ୍ ନୁହେଁ। ତେବେ ଏହାକୁ ଚ୍ୟାଲେଞ୍ଜ କରି କଙ୍ଗନା ମୁମ୍ବାଇ ଆସିବାକୁ କହିଥିଲେ ।  ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇ ଆସିଥିଲେ କଙ୍ଗନା ରଣାଓ୍ବତ । ତେବେ ତାଙ୍କ ବଙ୍ଗଳା ଭଙ୍ଗା ଘଟଣାର ଶୁଣାଣି ଶେଷ କରିଛନ୍ତି ବମ୍ବେ ହାଇକୋର୍ଟ ଏବଂ ଆସନ୍ତା ନଭେମ୍ବର ୨୬ ତାରିଖରେ ଏହାର ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *