ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ଲିଙ୍କ୍ ଥିବା ଅଭିଯୋଗରେ ୨୭ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌‌

ଲକ୍ଷ୍ମୌ :-ୟୁପିରେ ପୁଲିସ ଏନନକାଉଣ୍ଟରରେ ପ୍ରାଣ ହରାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ଲିଙ୍କ୍‌ ଥିବା ଅଭିଯୋଗରେ ରାଜ୍ୟ ସରକାର ୨୭ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ଯେଉଁମାନଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଇଛି, ସେମାନଙ୍କ ଭିତରେ ଦୁଇ ଜଣ ଅତିରିକ୍ତ ଜିଲାପାଳ, ଜଣେ ଉପ-ଜିଲାପାଳ, ଜଣେ ସିଟି ମାଜିଷ୍ଟେଟ୍‌, ତିନି ଜଣ ତହସିଲଦାର ଏବଂ କିଛି ରାଜସ୍ୱ ନିରୀକ୍ଷକ ଅଧିକାରୀ ବି ଅନ୍ତର୍ଭୁକ୍ତ । ଏହି ୨୭ ଜଣଙ୍କ ଭିତରୁ ୧୯ ଜଣ ପୂର୍ବରୁ କାନପୁର ସହରରେ କାମ କରିସାରିଛନ୍ତି ।

ବିକାଶ ଦୁବେ ଗ୍ୟାଙ୍ଗ୍‌ ଦ୍ୱାରା ଚଳିତ ବର୍ଷ ୮ ଜଣ ପୁଲିସକର୍ମୀଙ୍କୁ ହତ୍ୟା କରାଯିବା ପରେ ତା’ ସହିତ ସରକାରୀ ଅଧିକାରୀଙ୍କ ଗୋପନୀୟ ସମ୍ପର୍କ ଥିବାର ଜଣାପଡିଥିଲା । ଏହାର ଯାଞ୍ଚ ପାଇଁ ରାଜ୍ୟ ସରକାର ତିନି ଜଣ ସଦସ୍ୟ ବିଶିଷ୍ଟ ଏକ ଏସଆଇଟି ଗଠନ କରିଥିଲେ । ଏହି କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏବେ ଉପରୋକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।

ଉକ୍ତ ଏସଆଇଟି ନିଜ ରିପୋର୍ଟରେ ସମୁଦାୟ ୭୫ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଥିଲା । ସେମାନଙ୍କ ଭିତରେ ୪୦ ଜଣ ପୁଲିସ କର୍ମଚାରୀ ସାମିଲ ଥିଲେ । ଏହି ରିପୋର୍ଟ ଆଧାରରେ ହିଁ ରାଜ୍ୟ ସରକାର ନିକଟରେ କାନପୁର ସହରର ପୂର୍ବତନ ଏସଏସପି ଅନନ୍ତ ଦେବ ତିୱାରୀଙ୍କୁ ନିଲମ୍ବିତ କରିଥିଲେ ।

Leave a Reply

Your email address will not be published. Required fields are marked *