୨୦୦ କୋଟି ଟଙ୍କାର ଜିଏସଟି ଠକେଇ ମାମଲା, ୪ ଗିରଫ
ବେଙ୍ଗାଲୁରୁ;–ଗତ କିଛି ସପ୍ତାହରେ ୨୦୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ୪ଜଣ କିଛି ବର୍ଷ ମଧ୍ୟରେ ୧୦୦୦ କୋଟିର ଜାଲ୍ ସେବା ପ୍ରଦାନ କରିବା ନାଁରେ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ନକଲି ଚାଲାଣ ପ୍ରସ୍ତୁତ କରୁଥିଲେ ।
ନିକଟରେ ବେଙ୍ଗାଲୁରୁରେ ଜିଏସଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ ବିଭିନ୍ନ ରାକେଟର ପର୍ଦ୍ଦାଫାସ କରିଥିଲା । ଏହି ପର୍ଦ୍ଦାଫାସ ବେଳେ ଏହି ଠକେଇ ସାମ୍ନାକୁ ଆସିଛିଲା । ମୁମ୍ବାଇ ସ୍ଥିତ ଚୀନ ଫାର୍ମା ସହ ଅନେକ ସ୍ଥାନରେ ଚଢାଉ କରାଯିବା ବେଳେ ନିକଲି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ସମ୍ବନ୍ଧିତ ଅନେକ ଦସ୍ତାବିଜ ଜବତ ହୋଇଥିଲା । କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ତାହାର ଆକଳନ ଏବେବି ଜାରି ରହିଛି । ଗୁଇନ୍ଦା ବିଭାଗର ସୂତ୍ରାନୁସାରେ, ଦିଲ୍ଲୀର କମଳେଶ ମିଶ୍ର ଫର୍ଜି ଫାର୍ମ କରି ୫୦୦ କୋଟିର ନକଲି ଚାଲାଣ ବା ରସିଦ ପ୍ରସ୍ତୁତ କରୁଥିଲେ ।
କମଳେଶ ଦେଶର ବିଭିନ୍ନ ଗରିବ ଲୋକଙ୍କ ନାଁରେ ୨୩ଟି କମ୍ପାନୀ କରିଥିଲେ । ବେଙ୍ଗାଲୁରୁର କିଛି ଏପରି କମ୍ପାନୀ ଥିଲା ଯାହାର ପ୍ୟାନ୍ ଓ ଆଧାର ନମ୍ବର ଥିଲା । ଜଣେ ଅଧିକାରୀଙ୍କ କହିବାନୁସାରେ, ସେ ନିଜର ଦସ୍ତାବିଜକୁ ଉପଯୋଗ କରି ନିଜ ନାମରେ କମ୍ପାନୀ କରି ୮୦ କୋଟିର ନକଲି ଚାଲାଣ କରିଥିଲେ ।
ବେଙ୍ଗାଲୁରୁର ଜଣେ ଅଧିକାରୀଙ୍କ କହିବାନୁସାରେ, ତଦନ୍ତ ବେଳେ ସେହିମାନଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ ଜାଲ୍ କମ୍ପାନୀର ନିର୍ଦ୍ଦେଶକ ହୋଇଥିଲେ । ଜିଏସଟି ଘୋଟାଲା ବାବଦରେ ଚିହ୍ନଟ ହେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଗୁଇନ୍ଦା ଅଧିକାରୀଙ୍କ କହିବାନୁସାରେ, ବେଙ୍ଗାଲୁରୁର ବ୍ୟବସାୟୀ ବିୟାଲଦୁଗୁ କୃଷ୍ଣେୟା କିଛି ଚୀନ୍ ନାଗରିକଙ୍କ ସହ ମିଶି ମଙ୍କି ପ୍ରମୋସନ ଇଣ୍ଡିଆ ନାମକ ଏକ ଫାର୍ମ କରିଥିଲେ । ଫାର୍ମରେ ସେ ଚୀନ କମ୍ପାନୀ ପାଇଁ ନକଲି ଚାଲାଣ ପ୍ରସ୍ତୁତ କରୁଥିଲେ । ଏଥିରେ ସେ ସାମଗ୍ରୀ ଓ ସେବା ବିକ୍ରି କରିଥିବା ନେଇ ଦାବି କରିଥିଲେ । ସେ ଓ୍ୱିଚାଟ୍ ମେସେଜିଂ ସେବା ମାଧ୍ୟମରେ ବିଭିନ୍ନ ଲୋକଙ୍କ ସହ କଥା ହେଉଥିଲେ । ଏହାସହ ଚୀନ୍ ନାଗରିକଙ୍କ ପାଇଁ କ୍ରିପଟୋ କରେନ୍ସି ମଧ୍ୟ ସଂଗ୍ରହ କରୁଥିଲେ ।
ନିକଟରେ ମୁମ୍ବାଇ ସ୍ଥିତ କିଛି ଚୀନ୍ କମ୍ପାନୀ ଉପରେ ଚଢାଉ ହୋଇଥିଲା । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା । ଏହାପରେ କୃଷ୍ଣାଙ୍କ ଠକାମୀର ପେଡି ଖୋଲିଥିଲା । କୃଷ୍ଣା ଏବେ ବେଙ୍ଗାଲୁରୁ ଜେଲରେ ରହିଛନ୍ତି । ବିଦେଶୀ ନାଗରିକଙ୍କ ସହ ତାଙ୍କର ଆର୍ଥିକ ନେଣଦେଣର ତଦନ୍ତ ମଧ୍ୟ ଚାଲିଛି । କର୍ଣ୍ଣାଟକର ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ପାଇଁ ନକଲି ଚାଲାଣ ଜାରି କରିଥିବା ବେଙ୍ଗାଲୁରୁର ବେନଷ୍ଟାର୍ ପାଓ୍ୱାର ଟେକନୋଲୋଜି ଇଣ୍ଡିଆ ଲିମିଟେଡର ମଧ୍ୟ ଗୁମର ଫିଟିଛି ।