କରୋନା ବଦଳାଇ ଦେଲା ବୃତ୍ତି, ହୋଟେଲ ରୋଷେୟାରୁ ଶୁଖୁଆ ବେପାରୀ,
ଭୁବନେଶ୍ବର:-କରୋନା ଜନିତ ଲକ୍ଡାଉନ୍ ଅର୍ଥାତ୍ ୮ମାସ ପୂର୍ବରୁ ଦରମା ଥିଲା ୧୮ ହଜାର। ହୋଟେଲରେ ତାଙ୍କ ଆଦେଶରେ ୫ରୁ ୬ ଟହଲିଆ କାମ କରୁଥିଲେ। ତାଙ୍କ ହାତର ସ୍ପର୍ଶ ଓ ଚଟୁର ଯାଦୁକରୀ ସ୍ପର୍ଶରେ ଅତି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହେଉଥିଲା। ହୋଟେଲ ମାଲିକ ଆଉ ଗ୍ରାହକ ସମସ୍ତଙ୍କର ସେ ଥିଲେ ପ୍ରିୟପାତ୍ର। ମାତ୍ର କରୋନା ସବୁକିଛି ଓଲଟପାଲଟ କରିଦେଲା। ହୋଟେଲ ବନ୍ଦ ହେଲା, ରୋଜଗାର ଚାଲିଗଲା। ହୋଟେଲ ମାଲିକ ଦରମା ବି ଦେଲେନି। ଦୁଇ ବେଳା ଖାଇବାକୁ ବି ମିଳିଲାନି। ହେଲେ ଧୈର୍ଯ୍ୟହରା ହୋଇନଥିଲେ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ତ୍ରିଲୋଚନ।
ଅନଟନର ତାଡ଼ନା ସହିନପାରି ଗାଁକୁ ପଳାଇଲେ। ହେଲେ ମନ ତାଙ୍କର ମାନିଲାନି। ଅଭାବ ଆଉ ଅନଟନ ସାଙ୍ଗରେ ଲଢ଼ିବା ପାଇଁ ପଣ କରି ବୃତ୍ତି ବଦଳାଇବା ଚିନ୍ତାରେ ଅଟଳ ରହିଲେ। ଆଉ ଶେଷରେ ତାଙ୍କ ଅଞ୍ଚଳର ପ୍ରସିଦ୍ଧ ଶୁଖୁଆ କଥା ମୁଣ୍ଡକୁ ଢୁକିଲା। ତା’ପରେ ସେ ପାଲଟିଗଲେ ଶୁଖୁଆ ବେପାରୀ। ୭ ମାସ ଘରେ ବସି ରହିବା ପରେ ବର୍ତ୍ତମାନ ମାସେ ହେବ ସେ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକ ନିକଟ ଆରଆରଏଲ୍ ଗେଟ୍ ପାଖରେ ମେଲାଇଛନ୍ତି ଭଳିକି ଭଳି ଶୁଖୁଆ ପସରା।
ତ୍ରିଲୋଚନ ଅନ୍ୟମାନଙ୍କ ପାଇଁ ଏହି ବାର୍ତ୍ତା ଦେଇଛନ୍ତି ଯେ ଦୁଃସମୟରେ ଭାଙ୍ଗିନପଡ଼ି ଉଦ୍ୟମ ଜାରି ରଖି ଓ ଧୈର୍ଯ୍ୟ ରଖିବା ଦରକାର। ତ୍ରିଲୋଚନ ତାଙ୍କ ବ୍ୟବସାୟ ଆରମ୍ଭର କଥା ବଖାଣିବାକୁ ଯାଇ କହିଲେ ବେପାର ପାଇଁ ମୂଳଧନ ନଥିଲା। ଜଣେ ପରିଚିତ ବ୍ୟକ୍ତି ଠାରୁ ଟଙ୍କା ଉଧାର ଆଣି ବେପାର କଲି। ପ୍ରଥମେ ୨ହଜାର ଟଙ୍କାର ଶୁଖୁଆ ଆଣି ବେପାର ଆରମ୍ଭ କରିଥିଲି। ତିନି ଦିନରେ ବିକ୍ରି ହୋଇଗଲା। ସେଥିରୁ ୫୦୦ ଟଙ୍କା ଲାଭ ମିଳିଲା। ସେବେଠାରୁ ଚାଲିଛି ବେପାର। ଭଲ ଶୁଖୁଆ ବିକୁଥିବାରୁ ଲୋକମାନେ ବି ବରାଦ ଦେଇ ଯାଉଛନ୍ତି। ଭଗବାନଙ୍କ କୃପାରୁ ବେପାର ଭଲ ହେଉ ସବୁ ଧାର କରଜ ମୋର ଶୁଝି ଯାଉ ବୋଲି ତ୍ରିଲୋଚନ ଆଶା ବାନ୍ଧିଛନ୍ତି।
ସ୍ପେଶାଲ କାର୍ତ୍ତିକ ଅଫର:
ସ୍ପେସିଆଲ କାର୍ତ୍ତିକ ଅଫର୍। ଆଜି ହିଁ କିଣି ନିଅନ୍ତୁ, ୨୫୦ ଗ୍ରାମ୍ ଶୁଖୁଆକୁ ମାତ୍ର ୪୦ଟଙ୍କା। ଆଳୁ ୫୦କୁ ପିଆଜ ୮୦ ହେଲେ ଆଉ ଚିନ୍ତା ନାହିଁ। ରାଜଧାନୀକୁ ଆସିଗଲା ସୁସ୍ୱାଦୁ ଶୁଖୁଆ। ରାସ୍ତା କଡ଼ରେ ଏମିତି ଡାକ ଦେଇ ଶୁଖୁଆ ବିକୁଛନ୍ତି ତ୍ରିଲୋଚନ। କାର୍ତ୍ତିକ ମାସରେ ଆମିଷ ଚାହିଦା କମ୍ ଥିଲେ ବି ବେଶ ଭଲ ବେପାର କରୁଛନ୍ତି ସେ। ଶୁଖୁଆ ଦୋକାନ ଆଗରେ ଭଲ ଭିଡ଼ ମଧ୍ୟ ହେଉଛି।
ତ୍ରିଲୋଚନଙ୍କ କହିବା କଥା ଶୁଖୁଆରେ ଅଧିକ ଝିଞ୍ଜଟ ନାହିଁ କି ପିଆଜ ଆଳୁ ପକେଇ ରାନ୍ଧିବାର ଟେନ୍ସନ୍ ନାହିଁ। ସେଥିପାଇଁ ଚିକେନ୍, ମଟନ ମାଛ କିଣିବା ଅପେକ୍ଷା କାର୍ତ୍ତିକରେ ଶସ୍ତା ସୁନ୍ଦର ସହଜରେ ରାନ୍ଧି ହେଉଥିବା ଶୁଖୁଆ କିଣିବାକୁ ଲୋକେ ପସନ୍ଦ କରୁଛନ୍ତି।
ତାଙ୍କ ପାଖରେ ଛୋଟ ଚିଙ୍ଗୁଡି ଶୁଖୁଆ ଶହେ ଗ୍ରାମକୁ ୩୦ଟଙ୍କା ଥିବା ବେଳେ ବଡ଼ ଚିଙ୍ଗୁଡି ଶୁଖୁଆ ଶହେ ଗ୍ରାମକୁ ୪୦ ଟଙ୍କା। ଓଳେଇ ୧୦୦ଗ୍ରାମ ୨୦ଟଙ୍କା, ଇଲିଶି କେଜି ୪୦୦ଟଙ୍କା, ପଥରମୁଣ୍ଡି କିଲୋ ୨୦୦ରୁ ୧୬୦, ଚାଉଳୀ ୧୦୦ଗ୍ରାମକୁ ୪୦ ଟଙ୍କା, ଛୋଟ କୋକଲି ୩୦ ଟଙ୍କା, ବଡ଼ କୋକଲି ଅଢ଼େଇ ଶହକୁ ୪୦ଟଙ୍କା ରହିଛି। ପାରା ଶୁଖୁଆ କେଜି ୩୦୦, ଚମ୍ପା କେଜି ୧୬୦ଟଙ୍କା, ଚାନ୍ଦୀ ଦେଢ଼ ଶହକୁ ୩୦ଟଙ୍କା, ନଡ଼ିଆ ଫୁଲ ଶୁଖୁଆ ୧୦୦ଗ୍ରାମକୁ ୨୦ଟଙ୍କା ରହିଛି।