ବିହାରରେ ଏନଡିଏକୁ ବହୁମତ, ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା:-ବିହାରରେ ସରକାର ବିରୋଧୀ ହାଓ୍ବା ଏବଂ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଅତିକ୍ରମ କରି ନୀତିଶ କୁମାରଙ୍କ ନେତୃତ୍ବାଧୀନ ଦଳ ବିହାରରେ ବହୁମତ ହାସଲ କରିଛି । ବିହାର ବିଧାନସଭାର ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ମହାମେଣ୍ଟ ଆରଜେଡି ୧୧୦ଟି ଆସନରେ ବିଜୟୀ ହୋଇଛି । ଏହାସହ ନୀତିଶ କୁମାର ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ସଫା ହୋଇଛି ।

ଜେଡିୟୁକୁ ମିଳିଛି ୪୩ ଆସନ

ଚଳିତ ଥର ତାଙ୍କ ପାର୍ଟି ଜେଡିୟୁକୁ ୨୦୧୫ ତୁଳନାରେ ସଫଳତା ମିଳିନାହିଁ । ଜେଡିୟୁକୁ ୨୦୧୫ରେ ମିଳିଥିବା ୭୧ ଆସନ ତୁଳନାରେ ଚଳିତ ଥର ୪୩ ଟି ଆସନ ମିଳଛି । ସେହି ସମୟରେ ନୀତିଶ କୁମାର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ସହ ମିଳିତ ଭାବେ ନିର୍ବାଚନ ଜିତିଥିଲେ । ଚଳିତ ଥର ଆରଜେଡି ୭୫ ଆସନରେ ବିଜୟୀ ହେବା ସହ ପ୍ରଥମ ସ୍ଥାନରେ ରହିଛି । ଭୋଟ୍ ଗଣତିର ପ୍ରାରମ୍ଭରେ ଆଗୁଆ ଥିବା ବିଜେପିକୁ ୧୬ ଘଣ୍ଟା ଚାଲିଥିବା ଭୋଟ୍ ଗଣତି ପରେ ୭୪ ଆସନ ସହ ଦ୍ବିତୀୟ ସ୍ଥାନ ମିଳିଛି ।

ଏଲଜେପି ଯୋଗୁଁ ଜେଡିୟୁର ହେଲା କ୍ଷତି

ଜେଡିୟୁକୁ ଚିରାଗ ପାଶଓ୍ବାନଙ୍କ ଏଲଜେପି ଯୋଗୁଁ ବହୁତ କ୍ଷତି ସହିବାକୁ ପଡିଛି । ଏଲଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ମାତ୍ର ଏଲଜେପି ଅତି କମ୍ ରେ ୩୦ ଟି ଆସନରେ ଜେଡିୟୁ ପାଇଁ କ୍ଷତି ପହଞ୍ଚାଇଛି । ବିଜେପିର ୭୪ ଏବଂ ଜେଡିୟୁର ୪୩ ସିଟ୍ ବ୍ୟତୀତ ଏଚଏଏମକୁ ୪ ଏବଂ ଭିଆଇପିକୁ ୪ଟି ଆସନ ମିଳିଛି । ବିରୋଧୀ ମହାମେଣ୍ଟରେ ଆରଜେଡିକୁ ୭୫, କଂଗ୍ରେସକୁ ୧୯, ସିପିଆଇ(ଏମଏଲ)କୁ ୧୨, ସିପିଆଇକୁ ୨, ସିପିଆଇ(ଏମ)କୁ ୨ଟି ଆସନ ମିଳିଛି । ଏହି ନିର୍ବାଚନ ଏଆଇଏମଆଇଏମକୁ ୫ଟି ଆସନ ଏବଂ ଏଲଜେପି ଓ ବିଏସପିକୁ ଗୋଟିଏ ଗୋଟିଏ ଆସନ ମିଳିଛି । ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *