ବିହାରବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଧନ୍ୟବାଦ,
ନୂଆଦିଲ୍ଲୀ;-ବିହାରରେ ପୁଣି ଥରେ ନୀତିଶ ସରକାର । ଶାସକ ଦଳର ବିରୋଧୀ ପବନ ଓ ବିପକ୍ଷ ଦଳର ପ୍ରବଳ ବିରୋଧ ସତ୍ତ୍ୱେ ବି ଏନ୍ଡିଏ ବହୁମତ ପାଇଛି । ଜେଡିୟୁ ନେତୃତ୍ୱାଧୀନ ମେଣ୍ଟ ନିର୍ବାଚନରେ ୨୪୩ରୁ ୧୨୫ସିଟ୍ରେ ବିଜୟୀ ହୋଇ ପୁଣି ଥରେ ସରକାର ଗଢିବାକୁ ଯାଉଛି । ସେପଟେ ମହାମଣ୍ଟେ ମାତ୍ର ୧୧୦ଟି ସିଟ୍ରେ ସୀମିତ ରହିଛି । ନିର୍ବାଚନରେ ବିଜୟ ପରେ ନୀତିଶ କୁମାର ରାଜ୍ୟରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ପ୍ରଧାନମନ୍ତ୍ରୀ ମୋହି ବିହାରର ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟର ବିହାର ନିର୍ବାଚନରେ ବିଜୟୀର ଶ୍ରେୟ ଜନତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିଶ କୁମାରଙ୍କ ଡବଲ ଇଞ୍ଜନର ବିକାଶକୁ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଫଳାଫଳକୁ ନେଇ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟ୍ରେ ଲେଖିଛନ୍ତି ଯେ, ବିହାର ଜନତା ସାରାବିଶ୍ୱକୁ ଲୋକତନ୍ତ୍ରର ପ୍ରଥମ ପାଠ ପଢାଇଛନ୍ତି । ବିହାର ବାସିନ୍ଦାମାନେ ସାରା ଦୁନିଆରେ ପୁଣି ଥରେ ଲୋକତନ୍ତ୍ରକୁ ମଜବୁତ କରିଛନ୍ତି । ରାଜ୍ୟର ବିକାଶ ଦିଗରେ ବିହାର ଜନତା ନିଜର ରାୟ ଦେଇଛନ୍ତି । ସେହିପରି ଅନ୍ୟ ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିହାରର ପ୍ରତ୍ୟେକ ଭୋଟର ନିଜ ଆଗାମୀ ଭବିଷ୍ୟତ ଓ ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିହାରରେ ୧୫ବର୍ଷ ପରେ ପୁଣି ଥରେ ଏନ୍ଡିଏକୁ ଲୋକଙ୍କ ଆର୍ଶୀବାଦ ମିଳିଛି ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିର୍ବାଚନ ଫଳାଫଳ ପରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିଜେପି- ହେଉଛି ବିକାଶ-ବିଶ୍ୱାସ-ପ୍ରଗତିର ପ୍ରତୀକ । ବିହାର ନିର୍ବାଚନ ଫଳାଫଳ ଓ ଅନ୍ୟ ରାଜ୍ୟରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ଲୋକଙ୍କ ସମର୍ଥନ ମିଳିଛି । ଯାହାକୁ ନେଇ ଆମେ ସର୍ବଦା ଲୋକମାନଙ୍କ ପାଖରେ ଚିରରୁଣ ରହିବୁ । ଆମେ ପାର୍ଟିର ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ସମସ୍ତ ବିଜେପି କର୍ମକତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଲାଗି ସମ୍ଭବ ହୋଇଛି । ନିର୍ବାଚନରେ ଲୋକଙ୍କ ମତ ସ୍ପଷ୍ଟ କରୁଛି ଯେ, ଏବେବି ସାଧାରଣଲୋକଙ୍କ ମୋଦି ସରକାରଙ୍କ ସପକ୍ଷରେ ସମର୍ଥନ ରହିଛି । କରୋନା ବିରୋଧରେ ମୋଦି ସରକାରଙ୍କ ସଫଳ ଲଢେଇକୁ ଏହା ମଧ୍ୟ ପ୍ରମାଣିତ କରୁଛି । ବିହାରୀବାସୀ ମିଛ ପ୍ରତିଶୃତି, ଜାତିବାଦ ଓ ତୃଷ୍ଟିକରଣ ରାଜନୀତିକୁ ନଆପଣାଇ ଏନ୍ଡିଏକୁ ସମର୍ଥନ ଦେଇଛନ୍ତି ।