ଟ୍ରମ୍ପ ଯୁଗ ଶେଷ, ଆମେରିକା ନୂଆ ରାଷ୍ଟ୍ରପତି ହେଲେ ବାଇଡେନ

ୱାଶିଂଟନ: -କାମ ଦେଲାନି ଅବ କି ବାର୍‌ ଫିର ଟ୍ରମ୍ପ ସରକାର ନାରା। ଫେଲ ମାରିଲା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସବୁ ଗୋଟି ଚାଳନା। ଦୀର୍ଘ ୪ ଦିନର ଭୋଟ ଗଣତି ପରେ ଶେଷରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ବାଜିମାତ କରିଛନ୍ତି। ଏହାର ଅର୍ଥ ବାଇଡେନ ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ଆମେରିକାରେ ଆଜି ଯାଏ ଯେତେ ଥର ରାଷ୍ଟ୍ରପତି ନିର୍ବାଚନ ହୋଇଛି କେବେ ହେଲେ ଏଭଳି କାଣ୍ଟେକା ଟକ୍କର ଦେଖିବାକୁ ମିଳି ନଥିଲା। ହେଲେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଜୋରାଦାର ଟକ୍କର ହୋଇଥିଲା। ଏହି ଟକ୍କର ମଧ୍ୟରେ ଟ୍ରମ୍ପଙ୍କୁ ପଛରେ ପକାଇ ବାଇଡେନ ବିଜୟୀ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଗଣତି ହୋଇଥିବା ଭୋଟ ଅନୁଯାୟୀ, ଟ୍ରମ୍ପଙ୍କ ସପକ୍ଷରେ ୨୧୪ ଭୋଟ ଥିବା ବେଳେ ବାଇଡେନ ୨୮୪ଟି ଇଲେକ୍ଟୋରାଲ ଭୋଟ ପାଇ ବିଜେତା ହୋଇଛନ୍ତି। ଆହୁରି କିଛି ରାଜ୍ୟରେ ଭୋଟ ଗଣତି ଜାରି ରହିଛି। ହେଲେ ରାଷ୍ଟ୍ରପତି ହେବା ପାଇଁ ମ୍ୟାଜିକ ନମ୍ବର ୨୭୦କୁ ବାଇଡେନ ପାର୍‌ କରି ଯାଇଥିବାରୁ ସମସ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମ ତାଙ୍କୁ ବିଜେତା ଘୋଷଣା କରିଛନ୍ତି।ଏବେ କେବଳ ସେ ମୋଟ ଉପରେ କେତେ ଇଲେକ୍ଟୋରାଲ ଭୋଟ ପାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ବାଇଡେନ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ଡେମୋକ୍ରାଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ମଧ୍ୟ ବିଜୟୀ ହେବ। ସେ ମଧ୍ୟ ବାଇଡେନଙ୍କ ସହ ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। କମଳା ଆମେରିକା ପ୍ରଥମ ମହିଳା ଭାବେ ଏହି ପଦରେ ଅବସ୍ଥାପିତ ହେବେ।

ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲେ। ୫୩୮ ଇଲେକ୍ଟୋରାଲ ଭୋଟ ମଧ୍ୟରୁ ଯିଏ ୨୭୦ ଇଲେକ୍ଟୋରାଲ ପାଇବ, ସେ ହିଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବ। ଦୀର୍ଘ ୪ ଦିନ ହେଲା ବାଲଟ ପେପର ଓ ଇ-ମେଲ ଭୋଟ ଗଣତି ପରେ ଏଭଳି ଫଳାଫଳ ଆସିଛି।

ସମସ୍ତଙ୍କ ନଜର ପେନସଲଭେନିଆ ଉପରେ ଥିଲା। ଏଠାରେ ଯିଏ ବାଜିମାତ କରିବ, ସେ ହିଁ ରାଷ୍ଟ୍ରପତି ହେବ ବୋଲି କୁହାଯାଉଥିଲା। ଏଠାରେ ବାଇଡେନ ବାଜିମାତ କରିବାରୁ ସିଏନଏନ, ଆସୋସିଏଟ ପ୍ରେସ, ଏନବିସି ନ୍ୟୁଜ ଓ ସିବିଏସ୍‌ ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମ ବାଇଡେନଙ୍କୁ ବିଜେତା ଘୋଷଣା କରିଛନ୍ତି। ୨୦୧୬ରେ ଟ୍ରମ୍ପ ଜିତିଥିବା ମିଚିଗାନ, ଆରିଜୋନା ଓ ୱିସକୋନସିରେ ଏଥର ବାଇଡେନ ବିଜୟୀ ହୋଇଛନ୍ତି।

୧୯୯୨ ପରଠାରୁ ଆମେରିକାରେ ଯିଏ ବି ରାଷ୍ଟ୍ରପତି ହେଉଥିଲେ ସେ ୨ଟି ଟର୍ମ ପୂରଣ କରୁଥିଲେ। ହେଲେ ଟ୍ରମ୍ପ ମାତ୍ର ଥରେ ରାଷ୍ଟ୍ରପତି ହୋଇ ବିଦାୟ ନେଇଛନ୍ତି। ଶେଷଥର ପାଇଁ ୧୯୯୨ରେ ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ ଗୋଟିଏ ଟର୍ମ ପରେ ପରାସ୍ତ ହୋଇଥିଲେ। ସେ ମଧ୍ୟ ରିପବ୍ଲିକାନର ରାଷ୍ଟ୍ରପତି ଥିଲେ।

Leave a Reply

Your email address will not be published. Required fields are marked *