ଅଡୁଆରେ କଟକ ମହିଳା ଥାନାର ୩ ଅଧିକାରୀ: ଏଫ୍ଆଇଆର୍ ରୁଜୁ କରି ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ:-ଜଣେ ମହିଳାଙ୍କଠାରୁ ଲାଞ୍ଚ ନେବା ଏବଂ ତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଅଡୁଆରେ ପଡ଼ିଛନ୍ତି କଟକ ମହିଳା ଥାନାର ତିନି ଅଧିକାରୀ । ମହିଳା ଥାନାର ଆଇଆଇସି ଅନସୂୟା ନାୟକ, ଏଏସ୍ଆଇ ଶରତ ଚନ୍ଦ୍ର ବେହେରା ଏବଂ ଅନ୍ୟତମ ଏଏସ୍ଆଇ ଚମ୍ପା ପଟ୍ଟାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ତଦନ୍ତ କରିବାକୁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଚାନ୍ଦିନୀଚୌକ ଅଞ୍ଚଳର ମହିଳା ଲୋପାମୁଦ୍ରା ଷଡ଼ଙ୍ଗୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱଜିତ୍ ମହାନ୍ତି ଏହି ନିର୍ଦ୍ଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ୬ମାସ ତଳେ ଆବେଦନକାରିଣୀ ଲୋପାମୁଦ୍ରା ଷଡ଼ଙ୍ଗୀ କଟକ ମହିଳା ଥାନରେ ତାଙ୍କ ସ୍ୱାମୀ ତଥା ଶାଶୂଘର ଲୋକଙ୍କ ବିରୋଧରେ ଏତଲା ଦେଇଥିଲେ । କିନ୍ତୁ ଏହି ଏତଲା ପୁଲିସ୍ ଗ୍ରହଣ କରି ନଥିଲା । ଏତଲା ରୁଜୁ କରିବା ଲାଗି ଲୋପାମୁଦ୍ରାଙ୍କଠାରୁ ପୁଲିସ୍ ଲାଞ୍ଚ ଦେବାକୁ ଦାବି କରିଥିଲା । ଏପରିକି ଲୋପାମୁଦ୍ରା ପ୍ରତି ମହିଳା ଥାନାରେ ଖରାପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।
ଏ ନେଇ ଲୋପାମୁଦ୍ରା ଏହି ତିନି ଥାନା ଅଧିକାରୀଙ୍କ ବିରୋଧରେ ଲାଲବାଗ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଲାଲବାଗ ଥାନା ଏହି ଏତଲାକୁ ଗ୍ରହଣ କରିନଥିଲା । ଫଳରେ ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତିନି ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ଲାଗି ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଆଜି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।