ଏଥର କରୋନା ପାଇଁ ହବିଷ୍ୟାଳିଙ୍କୁ ଧର୍ମଶାଳା ମନା, ମିଳିବନି ମନ୍ଦିର ହବିଷ ଡାଲମା

ଭୁବନେଶ୍ୱର:-କାର୍ତ୍ତିକ ବ୍ରତ ପାଳିବାକୁ ବିଭିନ୍ନ ଐତିହ୍ୟସ୍ଥଳୀରେ ହବିଷ୍ୟାଳିମାନଙ୍କ ଭିଡ଼ ଜମିବା କଥା। ମାତ୍ର ଏଥର କରୋନା ପାଇଁ ସବୁ ବିଗିଡ଼ି ଯାଇଛି। ରାଜଧାନୀର ପ୍ରମୁଖ କେତୋଟି ଧର୍ମଶାଳାରେ ତାଲା ଝୁଲୁଛି। ଯେଉଁଠାରେ ରହି ମାସକ ଯାକ ବ୍ରତ ରଖିଥାନ୍ତେ, ତାହା ବନ୍ଦ ଥିବାରୁ ସେମାନେ ଏବେ ଚିନ୍ତାରେ। ଏହିପରି ଏକ ଧର୍ମଶାଳା ହେଉଛି ପୁରୁଣା ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ଥିବା ଦୁଦ୍‌ବାଲା ଧର୍ମଶାଳା। ଏଠାରେ ଶତାଧିକ ହବିଷ୍ୟାଳି ମାସକ ଯାକ ରହି କାର୍ତ୍ତିକ ବ୍ରତ ପାଳନ କରନ୍ତି। ରାଇ ଦାମୋଦରଙ୍କ ପୂଜା, ହବିଷ୍ୟ ଅନ୍ନ ରନ୍ଧାଠାରୁ ଭଜନ କୀର୍ତ୍ତନ ସବୁଚାଲେ ଏଠାରେ। ହେଲେ ଏବର୍ଷ କରୋନା ପାଇଁ ତାଲା ଝୁଲୁଛି । ନା ହେଉଛି ଭଗବାନଙ୍କ ନାମ ସଂକୀର୍ତ୍ତନ ନା ଶୁଭୁଛି ଭଜନକୀର୍ତ୍ତନ। ଏହି ଧର୍ମଶାଳା ପାଲଟିଛି ନୀରବପ୍ରହରୀ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଥର ହବିଷ୍ୟାଳିଙ୍କ ପାଇଁ ଧର୍ମଶାଳା ମନା। ଘରେ ରହି ସେମାନେ ରାଇଦାମୋଦରଙ୍କ ସ୍ମରଣ କରିବେ।ସକାଳ ୪ଟାରୁ ଆରମ୍ଭ ହୁଏ ହବିଷ୍ୟାଳିମାନଙ୍କ ନୀତିକାନ୍ତି। ଭୋର ୪ଟା ରୁ ଉଠି ଗାଧୁଆ ପାଧୁଆ ସାରି ଗୁଆ, ନଡ଼ିଆ, ସାଲୁକନା ଦେଇ ପ୍ରଥମେ ବିଷ୍ଣୁଙ୍କୁ ଆରାଧାନା କରନ୍ତି। ସକାଳ ୭ରୁ ଆରମ୍ଭ କରୁଥିଲେ ଚଉରା ପୂଜା। ପଞ୍ଚ ମୁରୁଜରେ ଚଉରା ମୂଳରେ ମୁରୁଜ ପକାଉଥିଲେ । ତା’ସହିତ ରାଇ-ଦାମୋଦୋର ବେଶ ହୋଇ ରାଧା, କୃଷ୍ଣ ଓ ନନ୍ଦରାଜାଙ୍କ ଅଭିନୟ କରୁଥିଲେ । କାର୍ତ୍ତିକ ମାସ ଯାକ ଏମିତି ଭାବେ ଭବିଷ୍ୟାଳିଙ୍କ ଦିନ କଟିଯାଉଥିଲା । ଖାଲି ସେତିକି ନୁହେଁ ଦିନରେ ଅନେକ କାର୍ତ୍ତିକ ମହାତ୍ମ୍ୟ ପୁରାଣ ପଢୁଥିଲେ । ଏହା ବ୍ୟତୀତ ଦିନରେ ରାମାୟଣ, ଚିତ୍ତବୋଧ, ଭାଗବତ ପୁରାଣ ପଢ଼ା ସରିବା ପରେ ପୁଣି ସନ୍ଧ୍ୟାର ପୂଜାର୍ଚ୍ଚନାରେ ଲାଗି ପଡ଼ନ୍ତି । ସକାଳ ଓ ସନ୍ଧ୍ୟାରେ ବୃନ୍ଦାବତୀଙ୍କ ପାଖରେ ନାନାଦି ଭୋଗ ଲାଗି କରି ପୂଜା କରନ୍ତି । ମାସଟା ସାରା ନିଜକୁ ପୂଜାର୍ଚ୍ଚନାରେ ହଜାଇ ଦିଅନ୍ତି ।

Leave a Reply

Your email address will not be published. Required fields are marked *