ଉପନିର୍ବାଚନ ପୂର୍ବରୁ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ଏହି ମନ୍ତ୍ରୀ ଦେଲେ ଇସ୍ତଫା,

ଭୋପାଳ :-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଜଳ ଉତ୍ସ ମନ୍ତ୍ରୀ ତୁଳସୀରାମ ସିଲାଓ୍ବଟ ଏବଂ ରାଜସ୍ବ ଓ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ସିଲାଓ୍ବଟ ଅକ୍ଟୋବର ୨୦ ତାରିଖରେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଶିବରାଦ ସିଂ ଚୌହାନଙ୍କୁ ପଠାଇ ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରରେ ସେ ସ୍ବଇଚ୍ଛାରେ ମନ୍ତ୍ରୀପଦ ଛାଢିଥିବା ପ୍ରକାଶ କରିଛନ୍ତି । ୨୦ ଅକ୍ଟୋବର ଅପରାହ୍ନରେ ତାଙ୍କ ଇସ୍ତଫା ପତ୍ର ସ୍ବୀକାର କରିନେବା ପାଇଁ ସେ ଅନୁରୋଧ ମଧ୍ୟ କରିଥିଲେ । ବୁଧବାର ଦିନ ଏହି ଇସ୍ତଫା ପତ୍ର ସଂପର୍କରେ ଜଣାପଡିଛି ।

ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ରାଜନୀତିରେ ବହୁତ କିଛି ପରିବର୍ତ୍ତନ ହେଉଥିବା ନଜରକୁ ଆସିଛି । ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ବିଧାୟକ ନଥାଇ ମଧ୍ୟ ସିଲାଓ୍ବଟ ମନ୍ତ୍ରୀ ହୋଇଥିଲେ । ନିୟମ ଅନୁସାରେ କୌଣସି ବ୍ୟକ୍ତି ବିଧାୟକ ନହୋଇଥିଲେ ସେ ମାତ୍ର ୬ମାସ ପାଇଁ ମନ୍ତ୍ରୀ ଭାବେ ରହିପାରିବେ ।

ମଧ୍ୟ ପ୍ରଦେଶରେ ୨୮ ଆସନରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ସିଲାଓ୍ବଟଙ୍କୁ ଇନ୍ଦୋର ଜିଲ୍ଲା ସାମ୍ବେର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ତାଙ୍କ ବିପକ୍ଷରେ କଂଗ୍ରେସ ଦଳରୁ ପ୍ରେମଚାନ୍ଦ ଗୁଡ୍ଡୁ ନିର୍ବାଚନ ଲଢୁଛନ୍ତି । ରାଜ୍ୟରେ ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ନଭେମ୍ବର ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ । ସେହିଭଳି ରାଜପୁତଙ୍କୁ ସୁରଖି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି ।

ସୂଚନଯୋଗ୍ୟ ଯେ, ସାମ୍ବେର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ତୁଳସୀ ସିଲାଓ୍ବଟ ୨୦୧୮ରେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ସେ ତତ୍କାଳୀନ କମଳନାଥ ସରକାରରେ ମନ୍ତ୍ରୀ ହୋଇଥିଲେ । ରାଜନୀତିକ ଘଟଣାକ୍ରମ ଅନୁସାରେ ମାର୍ଚ୍ଚ ମାସରେ ସିଲାଓ୍ବଟ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦଅନୁସରଣ କରି ବିଜେପିରେ ଯୋଗଦେଇଥିଲେ ।

ସୂଚନା ଅନୁସାରେ ସମ୍ବିଧାନର ଅନୁଚ୍ଛେଦ ୧୬୪(୪) ଅନୁଯାୟୀ କୌଣସି ମନ୍ତ୍ରୀ ଯିଏ ଲଗାତର ୬ ମାସ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାରେ ସଦସ୍ୟ ନଥିବେ ତେବେ ସେହି ସମୟସୀମା ଶେଷ ହେବା ପରେ ତାଙ୍କ ମନ୍ତ୍ରୀ ପଦ ରହିବନାହିଁ ।

Leave a Reply

Your email address will not be published. Required fields are marked *