ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ

ଦୁବାଇ:-କିଙ୍ଗସ୍ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପଞ୍ଜାବ ବିଜୟୀ ହୋଇଛି । ଏହାସହ ପ୍ଲେ ଅଫ ଖେଳିବା ନେଇ ମଧ୍ୟ ଆଶା ଉଜ୍ଜୀବିତ ରଖିଛି । ଦିଲ୍ଲୀ ପକ୍ଷରୁ ଦିଆଯାଇଥିବା ୧୬୫ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୫ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଓପନର ପୃଥିବୀ ସ ପୁଣି ଥରେ ନିରାଶ କରି ୭ ରନ କରି ଜିମ୍ ନିଶାନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ଅଧିନାୟକ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୮ ରନ  ଯୋଡିଥିଲେ। ୭୩ ରନ ସ୍କୋରରେ ଶ୍ରେୟସ ଆୟର ୧୪ ରନ କରି ବିଦାୟ ନେଇଥିଲେ। ଋଷଭ ପନ୍ତ କିଛି ସମୟ କ୍ରିଜରେ ରହିଥିଲେ ବି ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ। ସେ ୨୦ ବଲରୁ ୧୪ ରନ କରି ମାକ୍ସଓ୍ଵେଲଙ୍କ ଶିକାର ହୋଇଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ ଦମଦାର ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ।

୧୦୬ ରନରେ ପନ୍ତଙ୍କ ଆଉଟ୍ ପରେ ଧାଓ୍ଵନ ଓ ମାର୍କସ ଷ୍ଟୋଇନିସ୍ ଚତୁର୍ଥ ଓ୍ଵିକେଟ୍‌ରେ ୩୫ ରନ ଯୋଡିଥିଲେ। ୧୪୧ ସ୍କୋରରେ ଷ୍ଟୋଇନିସ୍ ୯ ରନ କରି ବିଦାୟ ନେଇଥିଲେ। ଅପରପକ୍ଷେ ଧାଓ୍ଵନ ଆଇପିଏଲରେ କ୍ରମାଗତ ଦ୍ଵିତୀୟ ଶତକ  ହାସଲ କରିଥିଲେ। ସେ ୫୭ ବଲରୁ ଆଇପିଏଲରେ ଦ୍ଵିତୀୟ ଶତକ ହାସଲ କରିଥିଲେ। ଧାଓ୍ଵନଙ୍କ ଅପରାଜିତ ଶତକ ବଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଧାଓ୍ଵନ ୬୧ ବଲରୁ ୧୨ ଚୌକା ଓ ୩ ଛକା ଜରିଆରେ ୧୦୬ ରନ କରିଥିଲେ। ସିମରନ ହେଟ ମାୟର ୧୦ ରନ କରି ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ।

ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵଲେ ଓ ଜିନି ନିଶାନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ ନିକୋଲାସ ପୁରନ ଓ ଗ୍ଲେନ ମ୍ୟାକ୍ସଓ୍ୱେଲଙ୍କ ଲଢୁଆ ଇନିଂସରେ ବିଜୟ ଲାଭ କରିଛି । ନିକୋଲାସ ୫୩ ରନ୍ କରିଥିବା ବେଳେ ମ୍ୟାକ୍ସଓ୍ୱେଲ ୩୨ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍ ଗେଲ୍ ୨୯ ଓ କେଏଲ ରାହୁଲ ୧୫ ରନ୍ କରିଥିଲେ ।ଫଳରେ ଦଳ ୧୯ ଓଭରରେ ୫ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Leave a Reply

Your email address will not be published. Required fields are marked *