ଆସାମ-ମିଜୋରାମ ସୀମାରେ ଘମାଘୋଟ୍ ସଂଘର୍ଷ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ :–ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଆସାମ ଓ ମିଜୋରାମ ବର୍ଡରରେ ଉତ୍ତେଜନା ଦେଖା ଦେଇଛି। ମିଜୋରାମର କୋଲାସିବ ଜିଲ୍ଲା ଓ ଆସାମର କଛାର ଜିଲ୍ଲା ସୀମାରେ ସଂଘର୍ଷ ଘଟିଛି। ଅଧିକାରୀଙ୍କ ଅନୁଯାୟୀ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣା ପଡିଛି।

ମିଜୋରାମ ଗୃହ ମନ୍ତ୍ରୀ ଲାଲଚାମଲିୟାନ କହିଛନ୍ତି ମାମଲାର ସମାଧାନ ଲାଗି କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ବୈଠକ ହେବ। ଏଥିରେ ଦୁଇ ରାଜ୍ୟର ମୁଖ୍ୟ ସଚିବ ଉପସ୍ଥିତ ରହିବେ।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲ  କହିଛନ୍ତି, ସେ ବର୍ତ୍ତମାନ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଅଫିସ୍ ଏବଂ ଗୃହ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସୋନୋଓ୍ଵାଲ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଫୋନ କରି ସୀମାରେ ଘଟିଥିବା ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଜୋରାମଥାଙ୍ଗା ସୋନୋଓ୍ଵାଲଙ୍କୁ ଅନ୍ତର ରାଜ୍ୟ ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ଏବଂ ସହଯୋଗର ଆଶ୍ଵାସନା ଦେଇଥିବା ଆସାମ ସରକାର ନିଜ ବୟାନରେ କହିଛି।

ମିଜୋରାମର ଓ୍ଵେରଙ୍ଗେଟ୍ ଓ ଓ ଆସାମର ଲୈଲାପୁରର ହିଂସା ପ୍ରଭାବିତ ଅଞ୍ଚଳରେ ସାମିଲ।  ପ୍ରଭାବିତ ଅଞ୍ଚଳରେ ଦୁଇ ରାଜ୍ୟ  ଭାରତୀୟ ରିଜର୍ଭ ବାଟାଲିୟନର ସୁରକ୍ଷାକର୍ମୀଙ୍କ ମୁତୟନ କରିଛି। କୋଲାସିବ ଜିଲ୍ଲାରେ ଓ୍ଵେରେଙ୍ଗଟ ମିଜୋରାମର ଉତ୍ତର ଦିଗରେ ଅବସ୍ଥିତ। ଆସାମ ଦେଇ ଯାଇଥିବା ଜାତୀୟ ରାଜମାର୍ଗ ୩୦୬ ଦୁଇ ରାଜ୍ୟକୁ ସଂଯୋଗ କରୁଛି।

କୋଲାସିବ ଜିଲ୍ଲା ଡେପୁଟୀ କମିସନର ଏଲ ଲାଲଥଲାଙ୍ଗିଆ କହିଛନ୍ତି ଶନିବାର ସନ୍ଧ୍ୟାରେ ଆସାମର କିଛି ଲୋକ ଲାଠି-ଠେଙ୍ଗା ଧରି ସୀମାବର୍ତ୍ତୀ ଗାଁର ବାହ୍ୟ ଅଞ୍ଚଳରେ ସ୍ଥିତ ଅଟୋ-ରିକ୍ସା ଷ୍ଟାଣ୍ଡ ନିକଟରେ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ।  ଏହା ପରେ ପ୍ରବଳ ସଂଖ୍ୟାରେ ଓ୍ଵେରଙ୍ଗେଟ୍‌ର ଗାଁ ଲୋକେ ଏକତ୍ର ହୋଇଥିଲେ। ଅଞ୍ଚଳରେ ଜାରି ନିଷେଦ୍ଧାଦେଶ ସତ୍ଵେ ଓ୍ଵେରଙ୍ଗେଟ୍‌ର ଗାଁର ଉତ୍ତେଜିତ ଲୋକେ ଜାତୀୟ ରାଜମାର୍ଗ ନିକଟରେ ୨୦ ଅସ୍ଥାୟୀ ଚାଳଛପର ଘର ଏବଂ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏହି ଘର ଓ ଦୋକାନ ଲୈଲାପୁର ଗାଁ ଲୋକଙ୍କ ଥିଲା।

Leave a Reply

Your email address will not be published. Required fields are marked *