ରାଜ୍ୟରେ କରୋନା ନେଲା ଆଉ ୧୭ ଜୀବନ: ମୃତ୍ୟୁସଂଖ୍ୟା ୧୧୫୨କୁ ବୃଦ୍ଧି

ଭୁବନେଶ୍ବର :- ଦିନକୁ ଦିନ ଭୟଙ୍କର ରୂପ ନେଇ ଡରାଇ ଚାଲିଛି କରୋନା । ରାଜ୍ୟରେ ବେକାବୁ ହେଉଛି କୋଭିଡ୍‌ ମୃତ୍ୟୁ । ପ୍ରାଣଘାତୀ କରୋନା କବଳରେ ନିତି ଶତାଧିକ ବ୍ୟକ୍ତି ପଡ଼ୁଥିବା ବେଳେ ରାଜ୍ୟରେ ରେ ନିତି ମୁଣ୍ଡ ଗଡ଼ୁଛି । ଗତ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୫୨ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୯୮୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ଜଣଙ୍କ ମୁଣ୍ଡ ନେଇଛି କରୋନା। ୧୭ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା, ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ବୌଦ୍ଧ, ଜଗତସିଂହପୁର, ମୟୁରଭଞ୍ଜ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୭୦ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୨ ହଜାର ୩୦୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ୮୨ ହଜାର ୦୬୩ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published. Required fields are marked *