ଟିଆରପି ସ୍କାମର ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଗିରଫ,

ମୁମ୍ବାଇ:-ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ସ୍କାମ୍‌ରେ ମୁମ୍ବାଇ ପୁଲିସର ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ ଟିମ୍‌ ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ତାଙ୍କ ନାମ ବିନୟ ତ୍ରିପାଠୀ । ସେ ବାର୍କ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍‌ସିଲ) ପାଇଁ ଟିଆରପି ମୂଲ୍ୟାୟାନ କରୁଥିବା ଘରୋଇ ସଂସ୍ଥା ‘ହନ୍‌ସା ରିସର୍ଚ୍ଚ ଗ୍ରୁପ୍‌ ପ୍ରାଇଭେଟ ଲିମିଟେଡ’ର ପୂର୍ବତନ କର୍ମଚାରୀ । ସେ ଏହି ସ୍କାମର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ତାଙ୍କୁ ଜେରା ପରେ ବହୁ ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି । ଏହି ସ୍କାମରେ ଗିରଫ ହେବାରେ ବିନୟ ୫ମ ବ୍ୟକ୍ତି । ପୂର୍ବରୁ ୪ ଜଣ ଗିରଫ ହୋଇଛନ୍ତି ।
କ୍ରାଇମ ବ୍ରାଞ୍ଚ ଟିମ୍‌ର ସୂଚନା ଅନୁସାରେ ପୂର୍ବରୁ ଗିରଫ ହନ୍‌ସା କର୍ମଚାରୀ ବିଶାଲ ଭଣ୍ଡାରୀଙ୍କ ସହିତ ବିନୟଙ୍କର ସମ୍ପର୍କ ରହିଛି । ବିନୟଙ୍କ ଠାରୁ ଟଙ୍କା ନେଇ ଭଣ୍ଡାରୀ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ଦେଖିବା ଲାଗି କିଛି ଲୋକଙ୍କୁ ପ୍ରତିମାସରେ ଟଙ୍କା ଦେଉଥିଲେ । ସେ ଉତ୍ତର ମୁମ୍ବାଇର ମଲାଡ (ୱେଷ୍ଟ) ଅନ୍ତର୍ଗତ ଚିଞ୍ଚୋଲି ଅଞ୍ଚଳର ବାସିନ୍ଦା । ହନ୍‌ସା କମ୍ପାନିରେ ୪ ବର୍ଷ ଧରି ରିଲେସନସିପ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ତେବେ ଭଣ୍ଡାରୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ କରିବା ପରେ ବିନୟ ମୁମ୍ବାଇ ଛାଡି ଉତ୍ତରପ୍ରଦେଶ ପଳାଇ ଆସିଥିଲେ । ସେ ଉତ୍ତରପ୍ରଦେଶର ମିର୍ଜାପୁରରେ ରହୁଥିବା ଜଣାପଡିବା ପରେ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ସୋମବାର ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ।

ସେଠାରୁ ତାଙ୍କୁ ମୁମ୍ବାଇ ଅଣାଯାଇଛି । ତାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି । କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଭଣ୍ଡାରୀଙ୍କୁ ପ୍ରତିଦିନ ୫ଟି ପରିବାରକୁ ଯାଇ ସେମାନଙ୍କୁ ଅତିକମ୍‌ରେ ୨ ଘଣ୍ଟା ପାଇଁ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ଦେଖିବା ଲାଗି ବୁଝାଇବାକୁ ବିନୟ କହିଥିଲେ । ଏଥିପାଇଁ ଭଣ୍ଡାରୀଙ୍କୁ ପ୍ରତି ପରିବାର ପିଛା ୧୦୦୦ରୁ ୨୦୦୦ ଟଙ୍କା କମିଶନ ମଧ୍ୟ ତାଙ୍କୁ ମିଳୁଥିଲା । ତା’ଛଡା ତାଙ୍କୁ ଅତିରିକ୍ତ ୫ ହଜାର ଟଙ୍କା ଦିଆଯାଉଥିଲା । ଭଣ୍ଡାରୀଙ୍କ ଘରେ ଦୁଇଟି ବାର-ଓ-ମିଟର ଲଗାଯାଇଥିବା ତଦନ୍ତରୁ ଜଣାପଡିଥିଲା । ତେବେ ଭଣ୍ଡାରୀଙ୍କୁ ଏହି ଟଙ୍କା ବିନୟ ଦେଉଥିଲା ବେଳେ ସେ କେଉଁଠାରୁ ଆଣୁଥିଲେ ଏବଂ ତାଙ୍କୁ କିଏ ଦେଉଥିଲା ତାର ତଦନ୍ତ କରାଯାଉଛି । ସେଥିପାଇଁ ବିନୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି ଥିବା ଉକ୍ତ ଅଧିକାରୀ ଜଣକ କହିଛନ୍ତି ।

କ୍ର୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌ (ସିଆଇୟୁ) ଏହାର ତଦନ୍ତ କରୁଛି । ପୂର୍ବରୁ ଏହି ମାମଲାରେ ଭଣ୍ଡାରୀଙ୍କ ସମେତ ହନ୍‌ସା ଗ୍ରୁପ୍‌ର ଦୁଇଜଣ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ବେଳେ ଦୁଇଟି ମରାଠୀ ଟିଭି ଚ୍ୟାନେଲ ଫକ୍‌ତ ମରାଠୀ ଓ ବକ୍ସ ସିନେମାର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଦୁଇଟି ଟିଭି ଚ୍ୟାନେଲର ୪ଟି ବ୍ୟାଙ୍କ ଅକାଉଣ୍ଟକୁ ଜବତ କରାଯାଇଛି । ଜବତ ଆକାଉଣ୍ଟକୁ ଯାଞ୍ଚ କରାଯାଇଛି । ଯାଞ୍ଚରୁ ସେହି ଆକାଉଣ୍ଟରେ ଯେତିକି ଟଙ୍କା ରହିବା କଥା ତାଠାରୁ ବହୁ ଅଧିକ ଟଙ୍କା ରହିଥିବା ଦେଖାଯାଇଛି । ତେଣୁ ଏହି ଅଧିକ ଟଙ୍କା କେଉଁଠୁ ଆସିଛି ଓ କିଏ ଦେଇଛି ତାର ପୁଙ୍ଖାନୁପୁଙ୍ଖ ତଥ୍ୟ ଜାଣିବା ଲାଗି ଫରେନସିକ ଅଡିଟ କରାଯିବ । ଏଥିସହ ଇଂରାଜୀ ଟେଲିଭିଜନ ଚ୍ୟାନେଲ ରିପବ୍ଲିକ ଟିଭିର ସିଇଓଙ୍କ ସମେତ କେତେଜଣ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚୁରା କରାଯାଇଛି । କ୍ରାଇମ ବ୍ରାଞ୍ଚ ଟିମ୍‌ ସେମାନଙ୍କ ବୟାନ ରେକର୍ଡ କରିଛି ।

Leave a Reply

Your email address will not be published. Required fields are marked *