ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସର ନୋଟିସ୍, ଉପଯୁକ୍ତ ଜବାବ ନମିଳିଲେ କାର୍ଯ୍ୟାନୁଷ୍ଠାନ କରିବାକୁ ଚେତାବନୀ

ମୁମ୍ବାଇ:-ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ଵାମୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ କୁହାଯାଇଛି ଯେ, ଅପରାଧିକ ପ୍ରକ୍ରିୟା ସଂହିତାର ଧାରା ୧୦୮ ଆଧାରରେ ତାଙ୍କ ବିରୋଧରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।

ବର୍ଲି  ଡିଭିଜନର ସହାୟକ ପୋଲିସ କମିଶନର ସୁଧୀର ଜାମ୍ବଭଡେକର ନୋଟିସ୍ ଜାରି କରି ଅର୍ଣ୍ଣବ ଗୋସ୍ଵାମୀଙ୍କୁ ଅକ୍ଟୋବର ୧୬ରେ ତାଙ୍କ ସାମ୍ନାରେ ହାଜର ହେବାକୁ କହିଛନ୍ତି। ଏହି ନୋଟିସ୍‌ ଦୁଇଟି ଘଟଣାରେ ଆପତ୍ତିଜନକ କଭରେଜକୁ ନେଇ ଜାରି କରାଯାଇଛି। ପ୍ରଥମଟି ହେଉଛି ପାଲଘର ସାଧୁ ହତ୍ୟା ମାମଲା ଏବଂ ଦ୍ଵିତୀୟଟି ଲକ୍‌ଡାଉନ୍‌ ସମୟରେ ଘରକୁ  ଯିବା ପାଇଁ ନିୟମର ଉଲ୍ଲଂଘନ କରି ବାନ୍ଦ୍ରାରେ ଭିଡ ଏକତ୍ର ହେବା ମାମଲା। ଅଭିଯୋଗ ହୋଇଛି ଯେ, ଅର୍ଣ୍ଣବ ଗୋସ୍ଵାମୀଙ୍କ ଚ୍ୟାନେଲ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବା ଏବଂ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସାଂପ୍ରଦାୟିକ ଉତ୍ତେଜନା ଉସୁକାଇବା ଉଦ୍ୟମ କରିବାକୁ ଚେଷ୍ଟା କରିଛନ୍ତି।

ଗୋସ୍ଵାମୀଙ୍କ ବିରୋଧରେ ମୁମ୍ବାଇରେ ଦୁଇଟି ଏଫଆଇଆର ରୁଜୁ ହୋଇଛି।  ପ୍ରଥମଟି ଏନଏମ ଯୋଶୀ ମାର୍ଗ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ବେଳେ ଦ୍ଵିତୀୟଟି ପିଧୋନୀ ପୋଲିସ ଷ୍ଟେସନରେ ରହିଛି। ଦୁଇ ଧାର୍ମିକ ସଂପ୍ରଦାୟ ମଧ୍ୟରେ ଘୃଣାଭାବ ଏବଂ ସାଂପ୍ରଦାୟିକ ଉତ୍ତେଜନା ଉସୁକାଇବା ଅଭିଯୋଗରେ ଅର୍ଣ୍ଣବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ନୋଟିସ୍‌ରେ କୁହାଯାଇଛି ଯେ, ଗୋସ୍ଵାମୀଙ୍କ ଚ୍ୟାନେଲ ସାଂପ୍ରଦାୟିକ ଉତ୍ତେଜନା ପ୍ରଚାର କରୁଛି ଏବଂ ୟୁଟ୍ୟୁବ୍‌ରେ ଅପଲୋଡ୍‌ ଭିଡିଓରେ ଦର୍ଶକଙ୍କୁ ବହୁତ ଅପମାନଜନକ, ସାଂପ୍ରଦାୟିକ ଓ ଘୃଣିତ ଟିପ୍ପଣୀ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *