ପୂର୍ବତନ ମନ୍ତ୍ରୀ-ବାଚସ୍ପତି ଶରତ କରଙ୍କ ପରଲୋକ,

ଭୁବନେଶ୍ୱର,:–ବରିଷ୍ଠ ରାଜନୀତିଜ୍ଞ ଶରତ କରଙ୍କ ପରଲୋକ । ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କର ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ଦେହାନ୍ତ ନେଇ ପୁତ୍ର ସୁମନ କର ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ଶରତ କରଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିବା ଶରତ କର ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅବିଭକ୍ତ କଟକ ଜିଲ୍ଲାର ମାହାଙ୍ଗା ଆସନରୁ ବିଧାନସଭାକୁ ତିନିଥର ପ୍ରତିନିଧିତ୍ୱ କରିଥିବା ଶରତ କର ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲେ । ଦ୍ୱାଦଶ ବିଧାନସଭା ସଦସ୍ୟତା କାଳରେ ସେ ୨୦୦ ମସିହା ମାର୍ଚ୍ଚ ୧୦ ତାରିଖରୁ ମେ ୨୧ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଥିଲେ ।

ଆହ୍ଲାବାବ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ କରିଥିବା ଶରତ କର ୧୯୬୪ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଆଦର୍ଶ ତାଙ୍କୁ ରାଜନୀତିରେ ଯୋଗଦେବାକୁ ପ୍ରଭାବିତ କରିଥିଲା । ଏଆଇସିସି ସଦସ୍ୟ ଶାସ୍ତ୍ରୀ ସେତେବେଳେ ଶରତ କରଙ୍କୁ ଓଡିଶା ଫେରି ବିଜୁ ବାବୁଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବିଜୁ ବାବୁଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ ଶରତ କର ରାଜନୀତିରେ ପ୍ରତିଷ୍ଠା ଲାଭ କରିଥିଲେ । ବିଧାୟକ, ସାଂସଦ, ବାଚସ୍ପତି ହେବା ସହ ଶରତ କର ବିଜୁ ବାବୁଙ୍କ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

ଶିକ୍ଷାବିତ୍, ରାଜନେତା ଶରତ କୁମାର କର ଜଣେ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଭାବେ ବେଶ୍ ପ୍ରତିଷ୍ଠା ଅର୍ଜନ କରିଥିଲେ । ସେ କିଛି ପୁସ୍ତକ ରଚନା କରିବା ସହ ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ପାରଦର୍ଶିତାର ପ୍ରମାଣ ମଧ୍ୟ ଦେଇଛନ୍ତି । ଦୂରଦର୍ଶନରେ ଦୀର୍ଘ ୪୫ ବର୍ଷ ଧରି ସେ ରଥଯାତ୍ରା ସିଧାପ୍ରସାରଣରେ ଘୋଷକ ଭାବେ ବେଶ୍ ପରିଚିତି ହାସଲ କରିଥିଲେ । ତେବେ ରାଜନୀତିରେ ଜଣେ ଦୀର୍ଘ ତଥା ଦକ୍ଷ ରାଜନେତା ଭାବେ ପରିଚିତି ହାସଲ କରିଥିବା ଶରତ କର କିଛି ବର୍ଷ ତଳେ କଂଗ୍ରେସରେ ଯୋଗ ଦେଇଥିଲେ ମଧ୍ୟ କିଛିଦିନ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ଏବଂ ସକ୍ରିୟ ରାଜନୀତିରୁ ଦୂରେଇଥିଲେ । ସୂଚନାୟୋଗ୍ୟ ଯେ, କିଛିଦିନ ତଳେ ଶରତ କରଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ୍ ଅଲ୍ଲୀଙ୍କର ପରଲୋକ ଘଟିଥିଲା । ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଶରତ କର ଏବଂ ମତଲୁବ ଅଲ୍ଲୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତତ୍କାଳୀନ ସମୟର ରୋଚକ ମୁକାବିଲା ଭାବେ ଚର୍ଚ୍ଚାରେ ରହୁଥିଲା ।

Leave a Reply

Your email address will not be published. Required fields are marked *