ସିବିଆଇ ହାତକୁ ଗଲା ହାଥରସ୍ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା,
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତି ଦୋହଲି ଯାଇଛି । ଘଟଣାର ନ୍ୟାୟିକ ତଦନ୍ତକୁ ନେଇ ରାଜନୈତିକ ସ୍ଥରରେ ଉଭୟ ବିରୋଧି ଓ ଶାସକ ଦଳ ମଧ୍ୟରେ ଢେର ଦିନର ଆରୋପ- ପ୍ରତ୍ୟାରୋପ, ବାଦ-ପ୍ରତିବାଦର ବୟାନବାଜି ଲାଗି ରହିଥିବା ବେଳେ ଏବେ ଏହି ଘଟଣାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । ଏହି ଘଟଣାକୁ ପ୍ରାୟ ୨୭ ଦିନ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କ ପ୍ରକୃତ ହତ୍ୟାକାରୀ କିଏ ସେ ନେଇ କିଛି ତଥ୍ୟ ସ୍ପଷ୍ଟ ହୋଇପାରିନାହିଁ ।
ପ୍ରଥମେ ହାଥରସ ପୋଲିସ, ପରେ ଏସାଇଟି ଏବଂ ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ କରିଛି । ସିବିଆଇ ହାତକୁ ଏହି ମାମଲାର ତଦନ୍ତ ଭାର ଯିବା ପରେ ନ୍ୟାୟ ଅପେକ୍ଷାରେ ଥିବା ଲୋକଙ୍କୁ ଟିକେ ଆଶ୍ବସ୍ତି ମିଳିଛି । ଅପରାଧିକ ମାମଲାରେ ପାରଙ୍ଗମ ଥିବା ସିବିଆଇ ଏବେ ଏମିତି କିଛି ତଥ୍ୟ, ସାକ୍ଷୀ ଏବଂ ପ୍ରମାଣ ନେଇ ମାମଲାର ଖୁଲାସା କରିବ । ଯାହା ଫଳରେ ସବୁକିଛି ସ୍ପଷ୍ଟ ହୋଇଯିବ ।
ସବୁଠାରୁ ବଡକଥା ହେଲା ସେପ୍ଟେମ୍ବର ୧୪ରେ ଯୁବତୀଙ୍କୁ କ୍ଷେତରେ କିଏ ହତ୍ୟା କଲା ? ପୀଡିତା ଯୁବତୀ ଜଣକ ପ୍ରଥମ ଦିନର ବୟାନରେ କାହିଁକି ତାଙ୍କ ସହ ଦୁଷ୍କର୍ମ ହୋଇଥିବା କଥା କହିନଥିଲେ ? ପୀଡିତା ଶେଷଥର ବୟାନରେ ତାଙ୍କସହ ଦୁଷ୍କର୍ମ ହୋଇଥିବା କଥା କହିଥିଲେ ଯଦିଓ ତେବେ ଡାକ୍ତରୀ ରିପୋର୍ଟରେ ଏହାର ବିପରିତ କିଛି ଆସିଥିଲା କାହିଁକି ? ସେପ୍ଟେମ୍ବର ୨୯ରେ ପୀଡିତାଙ୍କ ମୃତ୍ୟୁପରେ, ରାତିର ଅନ୍ଧକାରରେ କାହିଁକି ତାଙ୍କ ଶରୀରକୁ ପୋଡି ଦିଆଗଲା ? ଏବେ ଏପରି କିଛି ପ୍ରଶ୍ନକୁ ନେଇ ସିବିଆଇ ତଦନ୍ତ କରିବ ବୋଲି ଚର୍ଚ୍ଚା ହେଉଛି ।