ଡିଜେଲ ଟ୍ୟାଙ୍କରର ସ୍ଵତନ୍ତ୍ର ଚାମ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଜଣ ଅଟକ
ଲମତାପୁଟ:-ପୁଣି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ପୋଲିସ ପଞ୍ଜାବର ଦୁଇ ଗଞ୍ଜେଇ ମଫିଆଙ୍କୁ ଧରିଛି । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ କଲିକତା ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । କୋରାପୁଟ ଏସପି ଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସଡ଼ିପିଓ ଏବଂ ନନ୍ଦପୁର ଥାନା ଅଧିକାରୀ ମିଳିତ ପଡୁଆଠାରୁ ନନ୍ଦପୁର ପେଟ୍ରୋଲିଂ କରିବା ସମୟରେ ଧରାପଡିଛି ଗଞ୍ଜେଇ । ଚାଟୁଆ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଡିଜେଲ ଟ୍ୟାଙ୍କରକୁ ଅଟକାଇ ଗାଡି ଯାଞ୍ଚ କରିବାରୁ କିଛି ବି ସୁରାଗ ପାଇନଥିଲା ପୋଲିସ । ପ୍ରାୟ ଏକ ଘଣ୍ଟା ଧରି ଗାଡିକୁ ତନ ତନ କରି ଯାଞ୍ଚ କରିବାରୁ ଡିଜେଲ ଟାଙ୍କିରେ ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ଟ୍ୟାଙ୍କର ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ । ଏହି ଟ୍ରକରେ ପ୍ରାୟ ୬ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଛି ପୋଲିସ । ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକ ପଞ୍ଜାବ ଅଞ୍ଚଳର ସନ୍ଦୀପ ସିଂହ ଦେବ ଜୀ ଏବଂ ରନ୍ଦୀପ ସିଂହ । ଏମାନେ ଏହି ଡିଜେଲ ଟ୍ୟାଙ୍କରକୁ କେବଳ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର କରୁଥିଲେ । ଏହି ଦୁଇ ଯୁବକ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସକୁ କହିଥିବା ପୋଲିସ ସୂଚନା ଦେଇଛି ।