ପାକିସ୍ତାନରେ ‘ଟିକ୍ଟକ୍’ ବ୍ୟାନ୍, ସଂସ୍କୃତି ବଞ୍ଚାଇବାକୁ ପଦକ୍ଷେପ ନେଲେ ଇମ୍ରାନ୍ ସରକାର
ନୂଆଦିଲ୍ଲୀ;–ଚୀନକୁ ଝଟ୍କା ଦେଲା ପାକିସ୍ତାନ। ଚୀନ ଆପ୍ ‘ଟିକ୍ଟକ୍’କୁ ବ୍ୟାନ୍ କଲା ପାକିସ୍ତାନ। ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଦୂରସଂଚାର ପ୍ରାଧିକରଣ ଚାଇନିଜ୍ ଆପ୍ ‘ଟିକ୍ଟକ୍’ ଆପ୍କୁ ବ୍ଲକ୍ କରିଛି।
‘ଟିକ୍ଟକ୍’ ଆପ୍ରେ ସୁରକ୍ଷାକୁ ନେଇ ବହୁ ଅସୁବିଧା ଥିବା ବେଳେ ଦେଶର ସଂସ୍କୃତିକୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପାକିସ୍ତାନ ଦୂରସଂଚାର ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଯଦି କମ୍ପାନୀ ଏଥିରେ କିଛି ପରିବର୍ତ୍ତନ କରେ ତେବେ ‘ଟିକ୍ଟକ୍’ ପୁଣିଥରେ କାର୍ଯ୍ୟକ୍ଷମ ହେବ କି ନାହିଁ ବିଚାର କରାଯିବ ବୋଲି ପାକିସ୍ତାନ ସରକାର କହିଥିବା ଜଣାପଡ଼ିଛି।
ପାକିସ୍ତାନ ଦୂରସଂଚାର ପ୍ରାଧିକରଣ (ପିଟିଏ) ଅନୈତିକ ଓ ଅଶ୍ଳୀଳ ପୋଷ୍ଟ ଡିଲିଟ୍ ପାଇଁ ଟିକ୍ଟକ୍କୁ ବାରାମ୍ବାର କହିଥିଲା। କିନ୍ତୁ କମ୍ପାନୀ ପକ୍ଷରୁ ଏନେଇ କୌଣସି ସନ୍ତୁଷ୍ଟ ଜନକ ପଦକ୍ଷେପ ନିଆଗଲା ନାହିଁ। ଏହାପରେ ଟିକ୍ଟକ୍କୁ ପାକିସ୍ତାନରେ ବ୍ଲକ୍ କରିବା ନେଇ ନିଷ୍ପତ୍ତି ହୋଇଥିବା ପିଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।