ପ୍ରେମିକାର ଗଳା କାଟି ନିଜ ବେକ କାଟିଲେ ଯୁବକ

ଗଞ୍ଜାମ:-ପ୍ରେମିକାର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜ ଗଳା କାଟି ଧରାପଡିଲେ ଯୁବକ। ବୁଗୁଡ଼ା ଥାନାର ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମରେ ଘଟିଛି ଏହି ଚର୍ଚ୍ଚିତ ଘଟଣା । ପ୍ରେମିକ ରୂପ ନାରାୟଣ ଦଳବେହେରାଙ୍କ ଘର ବାଣପୁର୍ ଥାନା ଅନ୍ତର୍ଗତ ପେଣ୍ଡରା ପଲ୍ଲୀ ଗ୍ରାମରେ ।  ସେ ଜଣେ ଡିପ୍ଲୋମା ଇଞ୍ଜିନିୟର। ଏକ ଘରୋଇ ନିର୍ମାଣ କମ୍ପାନୀରେ ଯୋଗ ଦେଇ ଢେଙ୍କାନାଳର ଲମ୍ବୋଦରପୁରରେ ଏକ ନିର୍ମାଣ କାର୍ଯ୍ୟରେ କାମ କରୁଥିଲେ। ସେଠାରେ ବୁଗୁଡ଼ା ଥାନା ଝୋଲରୀ ଅଞ୍ଚଳର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହଯାଇ ସେଠାରେ ରହୁଥିଲେ। ମହିଳାଙ୍କ ସ୍ଵାମୀ ସେହି କମ୍ପାନୀ ରେ ବିଦ୍ୟୁତ୍ ସଂଯୋଜନା କାର୍ଯ୍ୟ କରୁଥିଲେ। ସେଠାରେ ଏହି ମହିଳାଙ୍କ ସହ ରୂପନାରାୟଣଙ୍କ ପରିଚୟ ହୋଇଥିଲା। ମୋବାଇଲ ନମ୍ବର ଆଦାନ ପ୍ରଦାନ ପରେ କଥାବାର୍ତ୍ତା ହୋଇ ତାହା ପ୍ରେମ ଆଡକୁ ବଢିଯାଇଥିଲା। ମହିଳା ଜଣକ  ନିଜ ଗ୍ରାମକୁ ଫେରି ଆସିବା ପରେ ରୂପ ନାରାୟଣ ସମୟେ ସମୟେ ମହିଳାଙ୍କ ଘରକୁ ଯିବାଆସିବା କରୁଥିଲେ।ଦୀର୍ଘ ଅଢେଇ ବର୍ଷ ହେବ ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତି ସମୟରେ ଏହି ପରକିୟା ପ୍ରୀତି ଚାଲିଥିଲା। ଏହି କିଛି ଦିନ ହେବ କୌଣସି କାରଣରୁ ମହିଳା ଜଣକ ରୂପ ନାରାୟଣଙ୍କ ଫୋନ ଉଠାଇ ନଥିଲେ। ଏଥିରେ ରୂପ ନାରାୟଣ ଭିଷଣ ଚିଡିଯାଇ ବଦଲା ନେବା ପାଇଁ ନିଷ୍ପତ୍ତି କରିଥିଲେ। ଆଜି ସକାଳୁ ସେ ପେଣ୍ଡରପଲ୍ଲୀର ନିଜ ଘରୁ ବାଇକ୍ ଯୋଗେ ବଦଲା ନେବା ଉଦ୍ଧେଶ୍ୟରେ ବାହାରିଥିଲେ। ଅପରାହ୍ନ ୫ ଘଣ୍ଟା ସମୟରେ ସୁଯୋଗ ଉଣ୍ଡି ଉକ୍ତ ମହିଳା ଘରେ ପଶିଯାଇଥିଲେ। ସାଥିରେ ଆଣିଥିବା ଏକ ଛୁରୀରେ ମହିଳାଙ୍କ ତଣ୍ଟି କାଟି ପକାଇଦେଇଥିଲେ। ସେହି ଛୁରୀରେ ମହିଳାଙ୍କ ଏକ ସାତ ବର୍ଷର ପୁଅର ତଣ୍ଟି କାଟିବାକୁ ଗଲାବେଳେ ସେ ଚିତ୍କାର କରିବା ଯୋଗୁ ସାହି ପଡୋଶୀ ଓ ଗାଁ ଲୋକ ଆସି ପହଂଚି ଯାଇଥିଲେ। ଗାଁ ଲୋକଙ୍କ ଆଗରେ ରୂପ ନାରାୟଣ ନିଜ ତଣ୍ଟି କାଟିବାକୁ ଚେଷ୍ଟା କରିଥିଲା। ଗାଁ ଲୋକେ ରୂପ ନାରାୟଣକୁ ଧରି ମାଡ ବି ଦେଇଥିଲେ। ପୋଲିସକୁ ଖବର ମିଳିବା ପରେ ଆଇ ଆଇ ସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ପହଂଚି ତିନି ଆହତଙ୍କୁ ଉଦ୍ଧାର କରିଥିଲା। ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଓ ତାଙ୍କ ପୁଅକୁ ଗୁରୁତର ଥିବା ଯୋଗୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *