ପରିବାର ଲୋକଙ୍କୁ ନିଶା ଦେଇ ପ୍ରେମିକ ସହ ହୋଇଗଲା ଫେରାର୍
ରାମପୁର,:–ଅନେକ ସମୟରେ ପୁଅ କିମ୍ବା ଝିଅ ଘରୁ ପ୍ରେମିକ କିମ୍ବା ପ୍ରେମିକା ସହ ଫେରାର ହୋଇଯିବା ଖବର ଆସିଥାଏ । ସୋମବାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ତାଜୁବ୍ କରିଦେବ । ପ୍ରେମରେ ଅନ୍ଧ ହୋଇଥିବା ଝିଅର ଏପରି ଏକ ସାଙ୍ଘାତିକ କାରନାମା ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।
ଉତ୍ତର ପ୍ରଦେଶ ରାମପୁର ଆଞ୍ଚୋରା ଗ୍ରାମରେ ଜଣେ ଝିଅ ପ୍ରେମିକ ପାଇଁ ନିଜ ବାପା ଓ ମାଆ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଶତ୍ରୁ ପାଲଟିଯାଇଛି । ପ୍ରେମିକ କଥାରେ ପଡି ନିଜ ଘରୁ ଫେରାର୍ ହେବା ସହ ନିଜ ବାପା ଓ ମାଆଙ୍କୁ ମଧ୍ୟ ମୃତ୍ୟୁ ମୁଖରେ ପକାଇଛି ଝିଅ । ନିଜ ପରିବାର ଲୋକଙ୍କୁ ନିଶା ଖୁଆଇ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।
ପରିବାର ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ଝିଅ ପଡୋଶୀ ଗ୍ରାମର ଜଣେ ଯୁବକଙ୍କ ପ୍ରେମ ଜାଲରେ ଫସିଯାଇଥିଲେ । ଝିଅକୁ ବାପା-ମାଆ ଭାଇ-ଉଭଣୀ କେହି ନଜର ଆସିନଥିଲେ । ଏପରିକି ଝିଅ ନିଜ ଘରଦ୍ୱାର ଛାଡି ପ୍ରେମିକ ସହ ଫେରାର୍ ହେବାକୁ ନିଷ୍ପତ୍ତି ନେବା ସହ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।
ତେବେ ପରିବାର ଲୋକେ ଝିଅର ଏହି ସାଙ୍ଘାତିକ ଯୋଜନା ବାଟରେ କଣ୍ଟା ସାଜିଥିଲେ । ତେଣୁ ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଝିଅ ପରିବାର ଲୋକଙ୍କୁ ନିଶାଦ୍ରବ୍ୟ ଖୁଆଇ ଦେଇଥିଲା ।
ଯେତେବେଳେ ପରିବାର ଲୋକଙ୍କର ହୋସ୍ ଆସିଥିଲା ସେତେବେଳକୁ ଝିଅ ପଳାଇ ସାରିଥିଲା । କିନ୍ତୁ ନିଶାଦ୍ରବ୍ୟ ପାଇଁ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ପରିବାର ଲୋକଙ୍କର ରାମପୁର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଝିଅର ବାପା ରାମପୁର ଥାନାରେ ଏନେଇ ଏତଲା ଦେଇଛନ୍ତି ।