ମହାରାଷ୍ଟ୍ର ରାଜନୀତିରେ ଟ୍ଵିଷ୍ଟ୍ ! ହୋଟେଲରେ ରାଉତ-ଫଡଣବିସଙ୍କ ସାକ୍ଷାତ,

ମୁମ୍ବାଇ :-ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ଟ୍ଵିଷ୍ଟ ଦେଖିବାକୁ ମିଳିଛି। ଏମିତି ସମୟରେ ଶିବସେନା ନେତା ସଞ୍ଜୟ ରାଉତ ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଦେବେନ୍ଦ୍ର ଫଡଣବିସଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଉଠୁଛି ପଡୁଛି। ଶିବସେନା, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମେଣ୍ଟ ସରକାର ତ ଗଠନ କରି ଦେଲେ ହେଲେ ପରସ୍ପର ମଧ୍ୟରେ ଟଣାଓଟରା ସମାପ୍ତ ହେଉନାହିଁ। ନିକଟରେ କିଛି ପୋଷ୍ଟର୍ସରେ ଏନସିପି ଓ ଶିବସେନା ନେତାଙ୍କ ଫଟୋ ରହିଥିଲା ହେଲେ କଂଗ୍ରେସକୁ ଏଥିର ଜାଗା ଦିଆଯାଇନଥିଲା। ଏହାକୁ ନେଇ ମଧ୍ୟ ମେଣ୍ଟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଜସ୍ଥାନରେ ମଧ୍ୟ ଯେବେ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଥିଲା ମହାରାଷ୍ଟ୍ରରେ ମେଣ୍ଟ ଦୁର୍ବଳ ନଜର ଆସିଥିଲା।

ଏବେ ସଞ୍ଜୟ ରାଉତ ଓ ଦେବେନ୍ଦ୍ର ଫଡଣବିସ ସାକ୍ଷାତ କରିବା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଏହି ଦୁଇ ନେତାଙ୍କ ଭେଟକୁ ନେଇ ବିଜେପି ତରଫରୁ ସଫେଇ ଦିଆଯାଇଛି। ମହାରାଷ୍ଟ୍ର ବିଜେପିର ମୁଖ୍ୟ ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଏହି ବୈଠକରେ କୌଣସି ରାଜନୈତିକ ଦୃଷ୍ଟିକୋଣ ନଥିଲା। ରାଉତ ଶିବସେନାର ମୁଖପତ୍ର ସାମନା ପାଇଁ ଦେବେନ୍ଦ୍ର ଫଡଣବିସଙ୍କ ସାକ୍ଷାତକାର ଚାହୁଁଥିଲେ। ବାସ୍ ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉପାଧ୍ୟାୟ କହିଛନ୍ତି, ଫଡଣବିସ ରାଉତଙ୍କୁ ଏହାର ସୂଚନା ଦେଇଥିଲେ ଯେ, ଯେବେ ସେ ବିହାର ନିର୍ବାଚନ ପ୍ରଚାରରୁ ଫେରିବେ ତେବେ ସାକ୍ଷାତକାର ଦେବେ।

ରାଜ୍ୟ ବିଧାନସଭା ନିର୍ବାଚନରେ ଶିବସେନା-ବିଜେପି ମେଣ୍ଟ ଏକ ସଙ୍ଗେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ସିଟ୍ ବଣ୍ଟନ ଫର୍ମୁଲାରେ ଯେବେ ଦୁଇ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଲା ନାହିଁ  ତେବେ ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲା।

Leave a Reply

Your email address will not be published. Required fields are marked *