ମୁମ୍ବାଇ ଇଣ୍ଡିଆନ୍ସକୁ ଧୂଳି ଚଟେଇଲା ଚେନ୍ନାଇ ସୁପର କିଙ୍ଗସ
ଆବୁଧାବି: ଚେନ୍ନାଇ ସୁପର କିଙ୍ଗସକୁ ଆରମ୍ଭରୁ ସଫଳତା ମିଳିଛି। ଅମ୍ବାତି ରାୟୁଡ଼ୁ ଏବଂ ଫାଫ୍ ଡ୍ୟୁପ୍ଲେସିସଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ବିଜୟରୁ ଆଇପିଏଲ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗସ୍। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଏହି ଦଳ ପାଇଁ ୧୬୩ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଶେଷ ଓଭରରେ ଆବଶ୍ୟକ ହେଉଥିବା ୫ ରନ୍ ହାସଲ କରି ଡିଫେଣ୍ଡି ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଚେନ୍ନାଇ।
ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡ଼ୁ ୪୮ ବଲରୁ ସର୍ବାଧିକ ୭୧ ରନ୍ କରିଥିଲେ। ସେହିଭଳି ଫାଫ୍ ଡ୍ୟୁପ୍ଲେସିସ୍ ଦ୍ବିତୀୟ ସର୍ବାଧିକ ସ୍କୋରର ଭାବେ ୪୪ ବଲରୁ ୫୮ ରନ କରିଥିଲେ। ଅନ୍ୟପକ୍ଷରେ ଚେନ୍ନାଇକୁ ମୁମ୍ବାଇର ଶାଣିତ ବୋଲିଂର ସାମ୍ନା କରିବାକୁ ପଡ଼ିଥିଲା। ବୋଲ୍ଟ, ପାଟିନସନ୍, ବୁମ୍ରା, ପାଣ୍ଡ୍ୟା ଏବଂ ଚହରଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ମୁମ୍ବାଇ ତରଫରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି’କକ୍ ୩୩ ରନର ଇନିଂସ୍ ଖେଳିଥିଲେ। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡ଼ି ସର୍ବାଧିକ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ୨ଟି ସଫଳତା ପାଇଥିଲେ