ଆସନ୍ତା ୨୦ରେ ବଙ୍ଗୋପସାଗରରେ ଲଘୁଚାପ ! ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର :- ଆସନ୍ତା ୨୦ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ସେହିପରି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ଧୀବରମାନଙ୍କ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି । ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଯାଇଛନ୍ତି ୨୦ ସୁଦ୍ଧା କୂଳକୁ ଫେରି ଆସିବାକୁ ପୁଣି ଆଜି ସତର୍କ ସୂଚନା ଦୋହରାଯାଇଛି ।
ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପ ସାଗରରେ ଏହା ଅବପାତ ରୂପ ନେବ । ରବିବାର ରାତି ସୁଦ୍ଧା ଏହା ପଶ୍ଚିମ ବଙ୍ଗରେ ଅନୁଭୂତ ହେବା ସମ୍ଭାବନା ଥିବା ବେଳେ ଏହାର ଗତି ଝାଡଖଣ୍ଡ ଓ ଛତିଶଗଡ ମୁହାଁ ହେବ । ଯାହାର ପ୍ରଭାବ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରହିବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୦ ଓ ୨୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ୨୨ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ୧୯ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ ଆକଳନ କରିଛନ୍ତି । ଅପରପକ୍ଷେ କୃଷିପାଣିପାଗବିତ୍ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟରେ ଲଘୁଚାପଜନିତ ବର୍ଷା ବିଶେଷ ନାହିଁ । ୧୪ ତାରିଖରେ ଆକଳନ କରାଯାଇଥିଲା ଯେ ମିଆଁମାର ଉପକୂଳରେ ୨୦ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ । ଯାହାଦ୍ୱାରା ରାଜ୍ୟରେ ୨୧ ତାରିଖରେ ବର୍ଷା ହେବ । ସେହି ଆକଳନ ବଜାୟ ରହିଛି ।
ସମସ୍ତ ପ୍ରକାରର ମଡେଲକୁ ବିଶ୍ଳେଷଣ କରି ସେ କହିଛନ୍ତି ଯେ, ନୌଲ୍ର ଅଂଶବିଶେଷ ଆସି ୨୦ ତାରିଖ ଭୋରରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପରେ ଏହାର ଗୋଟିଏ ଅଂଶ ମିଅଁମାର ଉପକୂଳରୁ ବାଂଲାଦେଶ ଆଡ଼େ ଗତି କରିବ । ଆଉ ଗୋଟିଏ ଅଂଶ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପରେ ମିଶି ପଶ୍ଚିମା ମୁହଁ କରି ଆନ୍ଧ୍ର ଉପକୂଳ/ଦକ୍ଷିଣ ଓଡ଼ିଶା ଦେଇ ମଧ୍ୟ ଭାରତ ଓ ପରେ ଉତ୍ତର ଭାରତକୁ ଘନିଭୂତ ହୋଇ ଯିବ । ହେଲେ ଓଡ଼ିଶାରେ ବିଶେଷ ବର୍ଷା ନାହିଁ ।