କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ:ଭକ୍ତଙ୍କୁ ମିଜୋରାମ-ମଣିପୁର ପ୍ରଭାରୀ, ବଦଳିବେ ଓଡିଶା ପ୍ରଭାରୀ
ଭୁବନେଶ୍ଵର:- କଂଗ୍ରେସର ପାର୍ଟି ବଡ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ଗୁଲାମ ନବି ଆଜାଦ ସମେତ ଚାରି ବରିଷ୍ଠ ନେତାଙ୍କୁ ମହାସଚିବ ଦାୟିତ୍ଵରୁ ମୁକ୍ତ କରାଯାଇଛି। ପ୍ରକାଶିତ ୨୨ ଜଣିଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟି(ସିଡବ୍ଲ୍ୟୁସି)ରେ ଓଡିଶାରୁ ଜଣେ ହେଲେ ନେତା ନାହାନ୍ତି। କେବଳ ନିମନ୍ତ୍ରିତ ସ୍ଥାୟୀ ସଦସ୍ୟ ତାଲିକାରେ ପୂର୍ବତନ ସାଂସଦ ଭକ୍ତଚରଣ ଦାସ ଅଛନ୍ତି। ଅନ୍ୟପଟେ ଓଡିଶା କଂଗ୍ରେସ ପ୍ରଭାରୀ ପରିବର୍ତ୍ତନ କରାଯାଇଛି। ଜିତେନ୍ଦ୍ର ସିଂହଙ୍କ ସ୍ଥାନ ନେଇଛନ୍ତି ଡକ୍ଟର ଏ ଚେଲ୍ଲାକୁମାର।
ଚିଠିକାଣ୍ଡକୁ ନେଇ ଅନେକ ତୁମ୍ବି ତୋଫାନ ପରେ ଆଜି କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଦଳରେ ବଡ ସାଙ୍ଗଠନିକ ପରିବର୍ତ୍ତନ କରିଛନ୍ତି। ହେଲେ ଘୋଷିତ ୨୨ ଜଣିଆ ସିଡବ୍ଲ୍ୟୁସିରେ ଜଣେ ହେଲେ ନେତା ଓଡିଶାରୁ ନାହାନ୍ତି। ଏହି ତାଲିକାରୁ ବାଦ୍ ପଡିଛନ୍ତି ରାମଚନ୍ଦ୍ର ଖୁଣ୍ଟିଆ। କେବଳ ଭକ୍ତ ଚରଣ ଦାସଙ୍କୁ ନିମନ୍ତ୍ରିତ ସ୍ଥାୟୀ ସଦସ୍ୟ ତାଲିକାରେ ଅଛନ୍ତି। କିନ୍ତୁ ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁର ରାଜ୍ୟର କଂଗ୍ରେସ ପ୍ରଭାରୀ ପରି ଗୁରୁ ଦାୟିତ୍ଵ ଦିଆଯାଇଛି।
ସେପଟେ ରାଜ୍ୟରେ କଂଗ୍ରେସ ପ୍ରଭାରୀ ମଧ୍ୟ ବଦଳିଛନ୍ତି। ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଡକ୍ଟର ଏ ଚେଲ୍ଲାକୁମାରଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଦାୟିତ୍ଵ ଦିଆଯାଇଛି। ଚେଲ୍ଲାକୁମାର ହେଉଛନ୍ତି ତାମିଲନାଡୁର କ୍ରିଷ୍ଣଗିରି ସାଂସଦ।