ICICI ବ୍ୟାଙ୍କର ପୂର୍ବତନ ଏମଡି ଚନ୍ଦା କୋଚରଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ:-ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚରଙ୍କ ସ୍ଵାମୀ ଦୀପକ କୋଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଆଇସିଆଇସିଆଇ  ବ୍ୟାଙ୍କରୁ ଋଣ ନେଇଥିବା ଭିଡିଓକନ ଇଣ୍ଡଷ୍ଟ୍ରୀଜ ଦ୍ଵାରା ଦୀପକ କୋଚରଙ୍କ କମ୍ପାନୀରେ ହୋଇଥିବା ନିବେଶକୁ ନେଇ ଯାଞ୍ଚ ଚାଲିଥିଲା। ଏହି ମାମଲାରେ ଇଡି ଅଧିକାରୀ ଦୀପକ କୋଚରଙ୍କୁ ଜେରା ମଧ୍ୟ କରିଥିଲେ। ଏବେ ଦୀପକଙ୍କୁ ଇଡି ଗିରଫ କରିଛି।

ଦୀପକ କୋଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭିଡିଓକନ ଇଣ୍ଡଷ୍ଟ୍ରୀଜକୁ ଦିଆଯାଇଥିବା ଲୋନ୍‌ର ଦୁରୁପଯୋଗ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି। ଦୀପକଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ପରେ ଯାଞ୍ଚ ଏଜେନ୍ସି ତାଙ୍କୁ ଜେରା ପାଇଁ ଡକାଇଥିଲା। ଦୀପକ ଅନେକ ନେଣଦେଣ  ବିଷୟରେ ସ୍ପଷ୍ଟ ସୂଚନା ଦେଇନପାରିବାରୁ ଅଧିକାରୀ ତାଙ୍କୁ ଗିରଫ କରିବାକୁ ନିଷ୍ପତ୍ତି ନେଇଥିଲା।

ଏହା ପୂର୍ବରୁ ଆଇସିଆଇସିଆଇ  ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳକ ନିର୍ଦ୍ଦେଶକ ଚନ୍ଦା କୋଚର ଓ ତାଙ୍କ ପରିବାର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ବଡ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଇଡି ଚନ୍ଦା କୋଚରଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍ ଓ ତାଙ୍କ ସ୍ଵାମୀ ଦୀପକ କୋଚରଙ୍କ କମ୍ପାନୀର କିଛି ସଂପତ୍ତି ଜବତ କରିଥିଲା। ଜବତ ସଂପତ୍ତିର ମୂଲ୍ୟ ୭୮ କୋଟି ଟଙ୍କା କୁହାଯାଇଥିଲା। ଚନ୍ଦା କୋଚରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ଭିଡିଓକନକୁ ମିଳିଥିବା ୩୨୫୦ କୋଟି ଟଙ୍କାର ଋଣ ମାମଲାରେ କରାଯାଇଛି।

ଅଭିଯୋଗ ହୋଇଛି ଯେ ଦୀପକ କୋଚରଙ୍କ ଫାର୍ମା ନ୍ୟୁପାଓ୍ଵାର ରିନ୍ୟୁଏବଲ୍ସରେ ୨୦୧୦ରେ ୬୪ କୋଟି ଟଙ୍କା ଭିଡିଓକନ ଗ୍ରୁପ ଦ୍ଵାରା ଏବଂ ୩୨୫ କୋଟି ଟଙ୍କା ମ୍ୟାଟିକ୍ସ ଫର୍ଟିଲାଇଜର ଦ୍ଵାରା ନିବେଶ କରାଯାଇଥିଲା। ଏହି ନିବେଶ ଆଇସିଆଇସିଆଇ ବ୍ୟାଙ୍କରୁ ଲୋନ ମିଳିବା ପରେ କରାଯାଇଥିଲା। ଆଗାମୀ ସମୟରେ ଚନ୍ଦା କୋଚରଙ୍କ ପାଇଁ ମଧ୍ୟ ମୁସ୍କିଲ ବଢିବାରେ କାରଣ ଯାଞ୍ଚ ଏଜେନ୍ସି ଭିଡିଓକନ ଓ ମ୍ୟାଟିକ୍ସ ବ୍ୟତୀତ ଅନ୍ୟ କମ୍ପାନୀକୁ ଲୋନ ଦିଆଯାଇଥିବା ଋଣର ମଧ୍ୟ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *