ରାଜ୍ୟରେ ୨୪ଘଣ୍ଟାରେ ୪୬ ହଜାର ୭୫୪ ନମୁନା ପରୀକ୍ଷା : ଗଞ୍ଜାମରେ ସର୍ବାଧିକ ୯ହଜାର ୫୧୩
ଭୁବନେଶ୍ୱର:-ଗତ ୨୪ ଘଣ୍ଟାରେ ମୋଟ୍ ୪୬ ହଜାର ୭୫୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୯,୩୯୨, ଆରଟିପିସିଆରରେ ୭,୧୪୪ ଓ ଟ୍ରୁନଟ୍ରେ ୨୧୮ଟି କରୋନା ନମୁନା ପରୀକ୍ଷା କରାଯାଇଛି । ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୯ହଜାର ୫୧୩, କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୧୩ ଓ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୩୬୯୭ଟି କରୋନା ନମୁନା ପରୀକ୍ଷା କରାଯାଇଛି ।ସୂଚନାଯୋଗ୍ୟ ଗତକାଲି ୫୯,୪୯୨ଟି ନମୁନା ପରୀକ୍ଷା ହୋଇଥିଲା। ଏଥିମଧ୍ୟରୁ ୫୨ ହଜାର ୧୯୫ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଛି । ଅପରପକ୍ଷରେ ୭ ହଜାର ୧୭୨ଟି ଆରଟିପିସିଆର୍ ଓ ୧୨୫ ଜଣଙ୍କର ଟ୍ରୁନଟ୍ ଟେଷ୍ଟ ହୋଇଥିଲା। ପୂର୍ବ ଅପେକ୍ଷା ଏବେ କରୋନା ପରୀକ୍ଷା ହାରକୁ ବଢ଼ାଇ ଦିଆଯାଇଛି। କରୋନାକୁ ଚିହ୍ନି, ତାହାର ତୁରନ୍ତ ଚିକିତ୍ସା ପାଇଁ ପରୀକ୍ଷା ହାରକୁ ବଢ଼ାଇଛନ୍ତି ଓଡ଼ିଶା ସରକାର।