ପଞ୍ଜାବରେ ୫ ଜଣ ମନ୍ତ୍ରୀଙ୍କ ସମେତ ୩୩ ବିଧାୟକ କରୋନା ସଂକ୍ରମିତ
ଚଣ୍ଡିଗଡ:-ପଞ୍ଜାବରେ ଗୁରୁବାର ୪ ଜଣ ବିଧାୟକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ରଣଦୀପ ନଭା, ଅଙ୍ଗଦ ସିଂହ, ଅମନ ଆରୋରା ଓ ପରମିନ୍ଦର ଧିଣ୍ଡସା । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଟୁଇଟ୍ କରି ଏହି ସୂଚନା ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ବିଧାୟକଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୫ ଜଣ ମନ୍ତ୍ରୀ ଅଛନ୍ତି । ରାଜ୍ୟର ମୋଟ ବିଧାୟକଙ୍କ ସଂଖ୍ୟା ୧୧୭ । ପଞ୍ଜାବରେ ଏବେ ମୃତ୍ୟୁହାର ୨.୮ ପ୍ରତିଶତ ରହିଛି । ମୃତ୍ୟୁହାରରେ ପଞ୍ଜାବ ଦେଶରେ ତୃତୀୟ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀକୁ ଏହା ଟପିଯାଇଛି ।
ଦିଲ୍ଲୀରେ ମୃତ୍ୟୁହାର ରହିଛି ୧.୮ ପ୍ରତିଶତ । କୋଭିଡ-୧୯ର ନୋଡାଲ ଅଫିସର ରାଜେଶ ଭାସ୍କରଙ୍କ ସୂଚନା ଅନୁଯାୟୀ ଲୋକମାନେ ଟେଷ୍ଟିଂ ପାଇଁ ନିଜ ଆଡୁ ଆଗେଇ ଆସୁନାହାନ୍ତି । ସେମାନେ ଭୟ କରୁଛନ୍ତି । ମାତ୍ର ଯେତେବେଳେ ଅସୁସ୍ଥ ହେଉଛନ୍ତି ସେତେବେଳେ ଟେଷ୍ଟିଂ ପାଇଁ ଆସୁଛନ୍ତି । ସେତେବେଳକୁ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡୁଛି । ଯାହାଫଳରେ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହେଉନାହିଁ । ରାଜ୍ୟରେ ଗତକାଲି ୧,୫୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ୧୦୬ ଜଣଙ୍କ ମୃତ୍ୟୁ ଘଟିଥିଲା । ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୯୮୯କୁ ବୃଦ୍ଧି ପାଇଥିଲା ବେଳେ ମୃତ୍ୟୁସଂଖ୍ୟା ୧,୬୧୮ରେ ପହଞ୍ଚିଥିବା ଜଣାପଡିଛି ।