LACରେ ପୁଣି ଉତ୍ତେଜନା: ଭାରତ-ଚୀନ୍ ସେନା ମୁହାଁମୁହିଁ, ସ୍ଥିତି ସମୀକ୍ଷା କଲେ ସ୍ଥଳ ଓ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ:-ପୂର୍ବ ଲଦ୍ଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଗୁରୁବାର ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଚୀନ୍ ଓ ଭାରତ ସେନା ପୁଣି ଥରେ ମୁହାଁ ମୁହିଁ ହୋଇଥିବା ବେଳେ ସ୍ଥଳସେନାଧ୍ୟକ୍ଷ ଏମ୍.ଏମ୍.ନରୱାଣେ ଓ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ଲଦ୍ଦାଖ ଗସ୍ତ କରି ପରିସ୍ଥିତି ସମୀକ୍ଷା କରିଛନ୍ତି।
ବୁଧବାର ବାୟୁସେନା ମୁଖ୍ୟ ଭଦୌରିଆ ଇଷ୍ଟର୍ଣ୍ଣ ଏୟାରବେସ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବାୟୁସେନା ଯୁଦ୍ଧପ୍ରସ୍ତୁତି ସମୀକ୍ଷା କରିବା ସହ ସେଠାରେ ମୂତୟନ ଫାଇଟର ଜେଟ୍ ପାଇଲଟଙ୍କ ସହ ଆଲୋଚନା କରିଥିଲେ। ଏହାର ଦିନକ ପରେ ଅର୍ଥାତ ଗୁରୁବାର ସ୍ଥଳସେନାଧ୍ୟକ୍ଷ ଜେନେରାଲ ନରୱାଣେ ଲଦ୍ଦାଖ ପରିଦର୍ଶନ କରିବା ସହ ଦକ୍ଷିଣ ପ୍ୟୋଙ୍ଗୟଙ୍ଗ ଓ ଅନ୍ୟ ସ୍ଥାନମାନଙ୍କର ପରିସ୍ଥିତି ସମୀକ୍ଷା କରିଛନ୍ତି।ଲଦ୍ଦାଖ ସୀମାରେ ଚୀନ୍ ସେନା ଅଗଷ୍ଟ ୨୯ ପରଠାରୁ ଏପର୍ଯ୍ୟନ୍ତ ୩ ଥର ଅନୁପ୍ରବେଶ ଉଦ୍ୟମ କଲେଣି। ତେବେ ପ୍ରତ୍ୟେକ ବାର ସତର୍କ ଭାରତୀୟ ସେନା ସେମାନଙ୍କୁ ଘଉଡାଇବାରେ ସଫଳ ହୋଇଛନ୍ତି।