ବିପଦ ବେଳେ ସଙ୍କଟ ମୋଚନ ସାଜିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ,ଡେପୁଟି ଫାୟାର ଅଫିସରଙ୍କ ସମେତ ୩୦ ଜଣଙ୍କୁ କରୋନା ଯୋଦ୍ଧା ସମ୍ମାନ
ଭୁବନେଶ୍ୱର:-କରୋନା ମହାମାରୀ ହେଉ ଅବା ମହାବାତ୍ୟା କିମ୍ବା ବନ୍ୟା। ତାଙ୍କୁ ସବୁଠି ଦେଖିବାକୁ ମିଳିଥାଏ। ସେମାନେ ନିଜ ଜୀବନକୁ ବାଜି ଲଗେଇ ଅନ୍ୟମାନଙ୍କର ଜୀବନ ବଞ୍ଚାଇଥାନ୍ତି। ଏପରିକି ନିଜ ପରିବାର ସମସ୍ୟାକୁ ପଛରେ ପକେଇ ମାନବ ସମାଜର ସେବା ପାଇଁ ଆଗେଇ ଆସନ୍ତି। ସେମାନେ ହେଉଛନ୍ତି ଆମ ରାଜ୍ୟର ଗୌରଵ ଏବଂ ସଙ୍କଟ ମୋଚନ ସାଜିଥିବା ଅଗ୍ନିଶମ ବିଭାଗର କର୍ମଚାରୀ। ଏହି କରୋନା ସମୟରେ ଯେଉଁଠି ଲୋକମାନେ ଘରେ ସୁରକ୍ଷିତ ଭାବେ ରହୁଥିବା ବେଳେ ସେମାନେ ରାଜଧାନୀର ଗଳିକୁ ଗଳି ବୁଲି ସାନିଟାଇଜ୍ କଲେ। ଏହାର କିଛି ଦିନ ପରେ ପଶ୍ଚିମବଙ୍ଗରେ ମହାବାତ୍ୟା ଆମ୍ଫାନ ଡ୍ୟୁଟି କରିିବାକୁ ଗଲେ। ନିଜ ଜୀବନକୁ ବାଜି ଲଗେଇ ସେଠାରେ ଲୋକଙ୍କ ସେବା କଲେ। ସେଠାରେ ଡ୍ୟୁଟି ମଧ୍ୟରେ କରୋନାର ଶିକାର ହେଲେ। ଏଥିରୁ ସୁସ୍ଥ ହୋଇସେମାନେ ମଧ୍ୟ ନିଜର ରକ୍ତ ତଥା ପ୍ଳାଜମା ଦେଇ ଅନ୍ୟ କରୋନା ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି।।ପ୍ଲାଜମା ଦାନ କାର୍ଯ୍ୟ ଶେଷ ନ ହେଉନୁ ପୁଣି ରାଜ୍ୟରେ ବନ୍ୟା ଆସିଛି। ଅନେକ ଲୋକେ ପାଣି ଘେରରେ ରହିଛନ୍ତି। ସଙ୍କଟମୋଚନ ସାଜି ଅଗ୍ନୀଶମ ବିଭାଗର କର୍ମଚାରୀ ବନ୍ୟା ପ୍ଲାବିତ ଅଞ୍ଚଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିବା ସହ ଖାଦ୍ୟ ଯୋଗାଉଛନ୍ତି। ଚଳିତ ବର୍ଷ ଅଗ୍ନିଶମ ବିଭାଗ ହିଁ ରାଜ୍ୟ ସରକାରଙ୍କ ଭାବମୂର୍ତିକୁ ଆହୁରି ମଜବୁତ ଓ ଟାଣ କରିଛି। କାରଣ କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ବିଶ୍ୱାସ ଭାଜନ ହୋଇ ପାରିଛି ଏହି ବିଭାଗ।
ଏଭଳି ସ୍ଥଳରେ ସେମାନଙ୍କ ମନୋବଳ ମନୋବଳ ବଢ଼ାଇବା ପାଇଁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି।