ପଞ୍ଚଭୂତରେ ବିଲୀନ ହେଲେ ପ୍ରଣବ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସାରା ଦେଶ ଅଶ୍ରୁଳ ବିଦାୟ
ନୂଆଦିଲ୍ଲୀ:-ପଞ୍ଚ ଭୂତରେ ବିଲୀନ ହେଲେ ଦେଶର ୧୩ତମ ରାଷ୍ଟ୍ରପତି ତଥା ‘ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀ। ଦିଲ୍ଲୀ ସ୍ଥିତ ଲୋଧୀ ଘାଟରେ ପ୍ରଣବଙ୍କ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର ଅଣାଯାଇଛି। ବଡ ପୁଅ ଅଭିଜିତ ମୁଖାର୍ଜୀ ପ୍ରଣବଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ କ୍ୟାବିନେଟ୍ ମନ୍ତ୍ରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସମେତ ଅନେକ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ବାସଭବନ ୧୦ ରାଜାଜୀ ମାର୍ଗରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ପ୍ରଣବଙ୍କ ପାର୍ଥିବ ଶରୀରକୁ ସେନା ହସ୍ପିଟାଲରୁ ସକାଳ ୯ଟା ୩୦ରେ ଅଣାଯାଇଥିଲା। ଏହା ପରେ ୨ଟାରେ ଲୋଧି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସୋମବାର ସନ୍ଧ୍ୟାରେ ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ ଘଟିଥିଲା। ମୃତ୍ୟବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଣବଙ୍କୁ ଗତ ଅଗଷ୍ଟ ୧୦ରେ ସେନାର ରିସର୍ଚ୍ଚ ଆଣ୍ଡ ରେଫ୍ରଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା। ସ୍ଥିତି ଜଟିଳ ହେବାରୁ ତାଙ୍କୁ କୋମାରେ ରଖାଯାଇଥିଲା। ପ୍ରଣବ କରୋନା ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ। ପରେ ତାଙ୍କର ଫୁସ୍ଫୁସ୍ ସଂକ୍ରମଣ ହୋଇଥିଲା।