ଦକ୍ଷିଣ ଚୀନ୍‌ ସାଗରରେ ଭାରତୀୟ ଯୁଦ୍ଧଜାହାଜ ମୁତୟନ

ନୂଆଦିଲ୍ଲୀ:-ପୂର୍ବ ଲଦାଖରେ ଗତ ଜୁନ ୧୫ ତାରିଖରେ ଚୀନ୍‌ ଓ ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାର ଦୁଇମାସ ପରେ ବିବାଦୀୟ ଦକ୍ଷିଣ ଚୀନ୍‌ ସାଗର ଅଞ୍ଚଳକୁ ଭାରତ ଏକ ଯୁଦ୍ଧଜାହାଜ ପଠାଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

ଭାରତୀୟ ଯୁଦ୍ଧଜାହାଜ ସେଠାରେ ପୂର୍ବରୁ ନିୟୋଜିତ ଥିବା ଆମେରିକୀୟ ଯୁଦ୍ଧଜାହାଜ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବ । ଭାରତର ଏଭଳି ପଦକ୍ଷେପ ଚୀନ୍‌କୁ କ୍ଷୁବ୍ଧ କରିଛି। ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ କୂଟନୈତିକ ଆଲୋଚନା ବେଳେ ଦକ୍ଷିଣ ଚୀନ୍‌ ସାଗରକୁ ଭାରତ ଯୁଦ୍ଧ ଜାହାଜ ପଠାଇବା ଉପରେ ଚୀନ୍‌ ଆପତ୍ତି ଉଠାଇଛି ।

ଦକ୍ଷିଣ ଚୀନ୍‌ ସାଗରରେ ଭାରତ କିମ୍ବା ଅନ୍ୟ କୌଣସି ଦେଶର ଯୁଦ୍ଧଜାହାଜର ଉପସ୍ଥିତିକୁ ଚୀନ୍‌ ସର୍ବଦା ବିରୋଧ କରିଆସିଛି । କାରଣ ଚୀନ୍‌ ସବୁବେଳେ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ସେଥିପାଇଁ ଗତ ୨୦୦୯ ମସିହାରୁ ଚୀନ୍‌ ସେଠାରେ କୃତ୍ରିମ ଦ୍ୱୀପ ତିଆରି କରିବା ସହ ସାମରିକ ଘାଟି ନିର୍ମାଣ କରିଛି । ସେହିଭଳି ପୂର୍ବରୁ ଭାରତୀୟ ନୌସେନା ମଧ୍ୟ ଭାରତ ମହାସାଗର ବିଶେଷକରି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ନିକଟ ମଲାକ୍କା ଅଞ୍ଚଳରେ ପୂର୍ବରୁ କେତେକ ଯୁଦ୍ଧଜାହାଜ ମୁତୟନ କରିଛି। ଏହି ଅଞ୍ଚଳ ଦେଇ ଚୀନ୍‌ର ଯୁଦ୍ଧଜାହାଜ ଭାରତ ମହାସାଗର ଅଞ୍ଚଳକୁ ପ୍ରବେଶ କରିଥାଏ ।

ଚୀନ୍‌ର ଯୁଦ୍ଧଜାହାଜ ଉପରେ କଡା ନଜର ରଖିବା ଲାଗି ଭାରତୀୟ ନୌସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମଲାକ୍କା ପ୍ରଣାଳୀ ଦେଇ ଚୀନ୍‌ ଅନ୍ୟ ଦେଶରୁ ତୈଳ ଆମଦାନୀ କରିବା ସହିତ ବାହାର ଦେଶକୁ ପଣ୍ୟ ସାମଗ୍ରୀ ପରିବହନ କରିଥାଏ । ସେହିଭଳି ମଲାକ୍କା ଅଞ୍ଚଳ ଦେଇ ଭାରତ ମହାସାଗରକୁ ଆସୁଥିବା ପ୍ରତିଟି ଯୁଦ୍ଧଜାହାଜ କିମ୍ବା ପଣ୍ୟବାହୀ ଜାହାଜ ଉପରେ ନଜର ରଖିବାକୁ ଭାରତ ଅଟୋନୋମସ ଅଣ୍ଡରୱାଟର ଭେସେଲ୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *