ସୁଶାନ୍ତ ମୃତ୍ୟୁ ମାମଲା: ଗୌରବ ଆର୍ଯ୍ୟଙ୍କ ଘରେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢ଼ାଉ

ମୁମ୍ବାଇ:-ସୁଶାନ୍ତ ମୃତ୍ୟୁ ମାମଲାରେ ରିୟାଙ୍କ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍‌ନାକୁ ଆସିବା ପରେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗୋଆରେ ହୋଟେଲ ବ୍ୟବସାୟୀ ଗୌରବ ଆର୍ଯ୍ୟଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏନ୍‌ସିବିର ଏକ ଟିମ୍‌ ଗତକାଲି ରାତିରେ ଗୌରବଙ୍କ ଘର ଓ ହୋଟେଲରେ ଚଢ଼ାଉ କରିଥିଲା । ମାତ୍ର ତାଙ୍କୁ ପାଇ ନଥିଲା।

ଘର ମାଲିକଙ୍କ କହିବାନୁଯାୟୀ ଗୌରବ ଗତ କିଛିମାସ ହେଲା ସେଠାକୁ ଆସୁନାହାନ୍ତି। ଅଞ୍ଜୁନାରେ ଥିବା ତାଙ୍କ ହୋଲେଟକୁ ଦୁଇଜଣ ପୁଲିସ ସାଦା ପୋଷାକରେ ଯାଇ ପଚରାଉଚୁରା କରିଥିଲେ । ସେହିଭଳି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍‌ ମଧ୍ୟ ଗୌରବଙ୍କ ସନ୍ଧାନରେ ଗୋଆ ଯାଇଥିଲା । ମାତ୍ର ତାଙ୍କୁ ପାଇ ନଥିଲା । ତାଙ୍କ ହୋଟେଲ ବାହାରେ ଇଡି ପକ୍ଷରୁ ଏକ ନୋଟିସ୍‌ ଲଗାଇ ଦିଆଯାଇଛି ।

ତାଙ୍କୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଗୌରବ ଓ ରିୟାଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍‌ରେ ହୋଇଥିବା ଚାଟ୍‌ରୁ ଉଭୟେ ଡ୍ରଗ୍ସ କାରବାର ବିଷୟରେ କଥା ହୋଇଥିବା ଜଣାପଡିଥିଲା। ଗୌରବଙ୍କର ଅଞ୍ଜୁନା ଓ ବାଗାଟୋରା ଅଞ୍ଚଳରେ ହୋଟେଲ ଓ କେଫ୍‌ ରହିଛି । ଗୌରବ ପୁରୁଣା ଦିଲ୍ଲୀ ବାସିନ୍ଦା । ୨୦୦୭ରୁ ସେ ଗୋଆରେ ରହୁଛନ୍ତି। ସେ ପ୍ରଥମେ ଏକ ବିଜ୍ଞାପନ କମ୍ପାନିରେ କାମ କରୁଥିଲେ । ମାତ୍ର ପରେ ନିଜର ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *