ଓୟୁଏଟିରେ ନାମ ଲେଖାଇଦେବାକୁ କହି ଠକି ନେଲ ୬୦ ହଜାର: ଦୁଇ ପୂର୍ବତନ ଛାତ୍ରଙ୍କୁ ବାନ୍ଧିଲା ପୁଲିସ
କଟକ:-ଜଣେ ଛାତ୍ରକୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ନାମ ଲେଖାଇ ଦେବାକୁ କହି ୬୦ ହଜାର ଟଙ୍କା ଠକି ନେବା ଘଟଣାରେ ଓୟୁଏଟିର ଦୁଇ ପୂର୍ବତନ ଛାତ୍ର ଗିରଫ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିର ସନ୍ଦୀପ ମିଶ୍ର ଏବଂ ଓଲ୍ଡ ଟାଉନ୍ ଗୌରାଙ୍ଗ ନଗର ସୁଜିତ୍ ରାଉତରାୟ । ଦୁଇ ଜଣଙ୍କୁ ଆଜି ମର୍କତନଗର ଥାନା ପୁଲିସ କୋର୍ଟଚାଲାଣ କରିଛି ।
ମିଳିଥିବା ସୂଚନା ଅନୁସାରେ, ସିଡିଏ ସେକ୍ଟର-୯ରେ ଅନୁଭବ ସାମଲ ନାମକ ଜଣେ ଯୁକ୍ତ ଦୁଇ ବିଜ୍ଞାନ ପାସ୍ କରିଥିବା ଛାତ୍ର ରହୁଛନ୍ତି । କୌଣସି ସୂତ୍ରରୁ ଅନୁଭବ ସଂପର୍କରେ ଖବର ପାଇଁ ଓୟୁଏଟିର ପୂର୍ବତନ ଛାତ୍ର ସନ୍ଦୀପ ଓ ସୁଜିତ ପାଇ ଗଲା ସପ୍ତାହରେ ତାଙ୍କ ଘରେ ଆସି ପହଞ୍ଚିଥିଲେ । ତେବେ ଅନୁଭବଙ୍କୁ ଓୟୁଏଟିରେ ନାମ ଲେଖାଇବାରେ ଦୁହେଁ ସହଯୋଗ କରିବେ ବୋଲି କହିଥିଲେ । ତାଙ୍କର ଜଣେ ବିଧାୟକଙ୍କ ସହିତ ସମ୍ପର୍କ ଅଛି । ଉକ୍ତ ବିଧାୟକଙ୍କ କୋଟାରେ ନାମ ଲେଖାଇଦେବେ ବୋଲି ଅନୁଭବଙ୍କୁ କହିଥିଲେ । ମାତ୍ର ଏଥିପାଇଁ ୬୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ପୂର୍ବତନ ଛାତ୍ର ଦ୍ୱୟ କହିଥିଲେ । ଅନୁଭବ ଏଥିରେ ରାଜି ହୋଇଯାଇଥିଲେ ।ସେ ତୁରନ୍ତ ୬୦ ହଜାର ଟଙ୍କା ଦେଇଥିଲେ। ହେଲେ କିଛି ଦିନ ପରେ ଅନୁଭବ ଏନେଇ ଅଧିକ ଖୋଳତାଡ଼ କରିବାରୁ ଜାଣିପାରିଲେକି ସେ ଏକ ଠକ ର୍ୟାକେଟ୍ ହାବୁଡ଼େ ପଡ଼ିଛନ୍ତି । ଓୟୁଏଟିର ଉକ୍ତ ପୂର୍ବତନ ଛାତ୍ର ଦୁଇଜଣ ଏଭଳି ନକଲି କାଗଜପତ୍ର ଦେଖାଇ ବହୁ ଛାତ୍ରଙ୍କଠାରୁ ଟଙ୍କା ଠକି ନେଇଥିବା ଅନୁଭବ ଜାଣିପାରିଲେ । ଏହା ପରେ ସେ ତୁରନ୍ତ ମର୍କତନଗର ଥାନାରେ ଏତଲା ଦାୟର କଲେ ।
ପୁଲିସ ଏନେଇ ଆଇପିସିର ଧାରା ୪୧୯, ୪୨୦, ୪୬୭ ଓ ୪୭୧ରେ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିବା ସହିତ ସେମାନଙ୍କଠାରୁ ଠକେଇର ୬୦ ହଜାର ଟଙ୍କା ଜବତ କରିଥିବା ମର୍କତନଗର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି ।