ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରପଡା;-କେନ୍ଦ୍ରାପଡା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ। ଗୁରୁବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା ଅବସରରେ ବିଜୁ ବାବୁଙ୍କ କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ବିଜୁବାବୁ ଆଜି ବଞ୍ଚିଥାନ୍ତେ, ତେବେ ସରପଞ୍ଚମାନେ ଲୋକଙ୍କ ପାଇଁ ଯେଭଳି ଭଲ କାମ କରୁଛନ୍ତି, ତାହା ଦେଖି ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରୋନା ବିରୁଦ୍ଧରେ ଚାଲିଥିବା ଏହି ଲମ୍ବା ଲଢେଇରେ ଆଗକୁ ସତର୍କ ରହି କାମ କରିବାପାଇଁ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ।
କେନ୍ଦ୍ରାପଡା ଜିଲ୍ଲାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି, ଯାହା କି ସାରା ଦେଶରେ ସର୍ବନିମ୍ନ । ସେହିପରି କେନ୍ଦ୍ରାପଡାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଅଟେ, ଯାହା କି ରାଜ୍ୟରେ ସବୁଠାରୁ କମ୍ । ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ସେମାନେ ଦକ୍ଷତାର ସହ କରୋନା ନିୟନ୍ତ୍ରଣରେ ଉପଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉପରେ ତାଙ୍କର ଭରସାକୁ ଆହୁରି ଦୃଢ କରିଛି ବୋଲି ମତ ଦେଇଥିଲେ। କେନ୍ଦ୍ରାପଡାକୁ ଏହି ସମୟ ମଧ୍ୟରେ ଅନ୍ୟ ରାଜ୍ୟରୁ ପ୍ରାୟ ୫୫ ହଜାର ଭାଇଭଉଣୀ ଫେରିଥିଲେ ମଧ୍ୟ ସମସ୍ତଙ୍କ ସହଯୋଗରେ କରୋନା ପରିଚାଳନା କାର୍ଯ୍ୟ ଯେଭଳି ଜାରି ରହିଛି, ସେଥିରେ କେନ୍ଦ୍ରାପଡା ଓଡିଶାରେ ଏକ ଆଦର୍ଶ ଜିଲ୍ଲା ହୋଇପାରିଛି ।